ୟୁନିସେଫ ସହ ହାତ ମିଳାଇଲେ ମାନୁଶି

ମୁମ୍ବାଇ: ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଶି ଚ୍ଛିଲର ଏବେ ୟୁନିସେଫ ସହ ହାତ ମିଳାଇଛନ୍ତି। ମାସିକ ଋତୁସ୍ରାବକୁ ନେଇ ସଚେତନତା ସୃଷ୍ଟି କରିବାକୁ ମାନୁଶି ୟୁନିସେଫ ସହ ଯୋଡି ହୋଇଥିବା ସୂଚନା ମିଳିଛି। ମାନୁଶିଙ୍କ ଟିମ୍‌ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏହା କୁହାଯାଇଛି। ସ୍ବଚ୍ଛତା, ପର୍ଯ୍ୟାପ୍ତ ସ୍ବଚ୍ଛତା ସୁବିଧା ଓ ମହିଳା ସ୍ବଚ୍ଛତା ସହ ଯୋଡି ହୋଇଥିବା ଉତ୍ପାଦ ଗୁଡିକ ସମ୍ପର୍କରେ ମାନୁଶି ପ୍ରଚାର କରିବେ ବୋଲି ଜଣାପଡିଛି। ସେ ନିଜେ ‘ପ୍ରୋଜେକ୍ଟ ଶକ୍ତି’ ନାମରେ ଏକ କାର୍ଯ୍ୟକ୍ରମ ଚଳାଉଛନ୍ତି ଯେଉଁଥିରେ ମାସିକ ଋତୁସ୍ରାବକୁ ଗୁରୁତ୍ୱ ଦିଆଯାଇଛି। ଏହା ଦେଶର ବିଭିନ୍ନ ରାଜ୍ୟରେ କାମ କରୁଛି। ମାନୁଶି କହିଛନ୍ତି ମହତ୍ୱପୂର୍ଣ୍ଣ ବିଷୟକୁ ନେଇ ସଚେତନତା ସୃଷ୍ଟି କରିବା ଜରୁରୀ। ପ୍ରତିଟି ନାରୀଙ୍କୁ ସେମାନଙ୍କ ଶରୀର ଉପରେ ଜ୍ଞାନ ରହିବା ଦରକାର। ତାହେଲେ ଯାଇ ଜଣେ ସୁରକ୍ଷିତ ଜୀବନ ଅତିବାହିତ କରିପାରିବ। ତେବେ ମାସିକ ଋତୁସ୍ରାବକୁ ନେଇ ଆମେ ସମସ୍ତେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବା ଦରକାର। ଏହାକୁ ନେଇ ସେ ଏବେ ୟୁନିସେଫ ସହ ଯୋଡି ହୋଇ ଯାଇଥିବାରୁ ନିଜକୁ ଭାଗ୍ୟବାନ ବୋଲି ମନେକରନ୍ତି। ମାନୁଶି ଜଣେ ମେଡିକାଲ ଛାତ୍ରୀ ହୋଇଥିବା ବେଳେ ସେ ଏବେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

Share