ୟୁନିୟନ୍‌ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା

ପୁରୀ ଅଫିସ,୨୦।୩: ଘରୋଇ ୟେସ୍‌ ବ୍ୟାଙ୍କରୁ ଫେରିଥିବା ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ)ରେ ରହିବ। ଏନେଇ କରାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ୟୁନିୟନ ବ୍ୟାଙ୍କକୁ ଚୟନ କରାଯାଇଛି। ୫.୭୫% ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ଜମା କରାଯିବ ବୋଲି ଶୁକ୍ରବାର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ମିଳିଛି।

ସୂଚନାନୁଯାୟୀ, ଶ୍ରୀମନ୍ଦିର ଟଙ୍କା ସ୍ଥାୟୀ ଜମା ନେଇ ଶୁକ୍ରବାର ହୋଇଥିବା ଟେଣ୍ଡର ପ୍ରକ୍ରୀୟାରେ ୮ ବ୍ୟାଙ୍କ ସାମିଲ ହୋଇଥିଲେ। ଏହି ବ୍ୟାଙ୍କଗୁଡିକ ମଧ୍ୟରୁ ସର୍ବାଧିକ ସୁଧ ୫.୭୫ପ୍ରତିଶତ ଦେବାଲାଗି ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଟେଣ୍ଡର ପକାଇଥିବାରୁ ସମ୍ପୃକ୍ତ ବ୍ୟାଙ୍କକୁ କର୍ପସ ଫଣ୍ଡ ଓ ଟେମ୍ପୁଲ ଫଣ୍ଡ ଦେବାକୁ ନିଷ୍ପତ୍ତି ହୋଇଛି। ଦ୍ୱିତୀୟରେ ଇଣ୍ଡିଆନ ବ୍ୟାଙ୍କ ୫.୪ ଓ କାନାଡ଼ା ବ୍ୟାଙ୍କ ୫ ପ୍ରତିଶତ ସୁଧ ଦେବାକୁ ଟେଣ୍ଡର ପକାଇଥିଲେ। କିନ୍ତୁ ନିୟମାନୁଯାୟୀ ସର୍ବାଧିକ ସୁଧ ୫.୭୫ ପ୍ରତିଶତ ସୁଧ ଦେବାକୁ ଉପରୋକ୍ତ ବ୍ୟାଙ୍କଦ୍ବୟ ରାଜି ନ ହେବାରୁ ସମସ୍ତ ୩୫୨କୋଟି ଟଙ୍କା ୟୁନିୟନ ବ୍ୟାଙ୍କଙ୍କୁ ଦେବା ଲାଗି ନିଷ୍ପତ୍ତି ହୋଇଥିବା ଉନ୍ନୟନ ପ୍ରଶାସକ ଜେନା ସୂଚନା ଦେଇଛନ୍ତି। ଏହି ଟେଣ୍ଡର ପ୍ରକ୍ରୀୟାରେ ବାରଟି ବ୍ୟାଙ୍କ ସାମିଲ ହୋଇଥିବା ବେଳେ ୪ଟି ବ୍ୟାଙ୍କ ସମୟ ଅବଧି ମଧ୍ୟରେ ପହଞ୍ଚି ନ ଥିବାରୁ ସେମାନଙ୍କୁ ଏଥିରେ ସାମିଲ କରାଯାଇ ନ ଥିବା ଜଣାପଡିଛି।

Share