ବସ୍ତି(ୟୁପି),୬ା୧(ପି.ଟି.): ଉତ୍ତରପ୍ରଦେଶରେ ଆଇଏସ୍ର ଦୁଇଜଣ ଆତଙ୍କବାଦୀ ପ୍ରବେଶ କରିଥିବା ନେଇ ଗୋଇନ୍ଦା ସୂଚନା ମିଳିବା ପରେ ଭାରତ-ନେପାଳ ସୀମା ଅନ୍ତର୍ଗତ ମହାରାଜଗଞ୍ଜ, କୁଶିନଗର ଏବଂ ସିଦ୍ଧାର୍ଥ ନଗର ଜିଲାରେ ହାଇଆଲର୍ଟ ଜାରି କରାଯାଇଛି। ଦୁଇ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଅବୁଦୁଲ ସମାଦ ଓ ଇଲିୟାସ ଉତ୍ତରପ୍ରଦେଶରୁ ନେପାଳ ଖସିଯାଇପାରନ୍ତି ବୋଲି ବସ୍ତି ରେଞ୍ଜ ଆଇଜି ଆଶୁତୋଷ କୁମାର ଆଶଙ୍କା ବ୍ୟକ୍ତ କରିଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ଲାଗି ଫଟୋ ପ୍ରସାରଣ କରାଯାଇଛି। ପୂର୍ବରୁ ସେମାନଙ୍କୁ ପଶ୍ଚିମବଙ୍ଗର ସିଲିଗୁଡ଼ିରୁ ଠାବ କରାଯାଇଥିଲା। ସେମାନେ ଆଇଏସ୍ ସହ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଦୁଇ ଆତଙ୍କବାଦୀଙ୍କୁ ଧରିବା ପାଇଁ ପୋଲିସ ଜୋର୍ଦାର ଉଦ୍ୟମ ଚଳାଇଛି। ଅନେକ ସମୟରେ ପାକିସ୍ତାନୀ ଆତଙ୍କବାଦୀ ନେପାଳ ସୀମା ଦେଇ ଭାରତରେ ପ୍ରବେଶ ଓ ପ୍ରସ୍ଥାନ କରୁଥିବାରୁ ଉକ୍ତ ଅଞ୍ଚଳ ଉପରେ ସୁରକ୍ଷା ବଳ ତୀକ୍ଷ୍ଣ ନଜର ରଖିଛି।