Categories: ଖେଳ

ୟୁରୋ କପ୍‌ ଯୋଗ୍ୟତା ପର୍ଯ୍ୟାୟ: ପର୍ତ୍ତୁଗାଲର ପ୍ରଥମ ବିଜୟ

ବେଲଗ୍ରେଡ୍‌,୮।୯(ଏଏଫ୍‌ପି): ୟୁରୋପିଆନ୍‌ ଚାମ୍ପିୟନ ପର୍ତ୍ତୁଗାଲ ୟୁରୋ କପ୍‌ ଯୋଗ୍ୟତା ପର୍ଯ୍ୟାୟରେ ତା’ର ପ୍ରଥମ ବିଜୟ ହାସଲ କରିଛି। ୨୦୨୦ ୟୁରୋ କପ୍‌ ପାଇଁ ଯୋଗ୍ୟତା ପର୍ଯ୍ୟାୟରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ଶନିବାର ଅନୁଷ୍ଠିତ ମୁକାବିଲାରେ ସର୍ବିଆକୁ ୪-୨ ଗୋଲ୍‌ରେ ପରାସ୍ତ କରିଛି। ପର୍ତ୍ତୁଗାଲ ଆରମ୍ଭରୁ ପ୍ରଭାବ ବିସ୍ତାର କରିଖେଳିଥିଲା। ପର୍ତ୍ତୁଗାଲ ତରଫରୁ ୪୨ତମ ମିନିଟ୍‌ ଓ୍ବିଲିୟମ କାରଭାଲୋ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ଗୋନକାଲୋ ଗୁଏଡ୍ସ ୫୮ତମ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ତେବେ ୬୮ତମ ମିନିଟ୍‌ରେ ସର୍ବିଆର ନିକେଲା ମିଲେନୋକୋଭିକ ଗୋଲ ପ୍ରଦାନ କରି ଗୋଲ ବ୍ୟବଧାନ କମାଇଥିଲେ। ଏହାପରେ ୮୦ତମ ମିନିଟ୍‌ରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଗୋଲ ସ୍କୋର କରି ଅଗ୍ରଣୀ ବଢ଼ାଇଥିଲେ। ତେବେ ୮୫ତମ ମିନିଟ୍‌ରେ ସର୍ବିଆର ଆଲେକଜାଣ୍ଡାର ମିଟ୍ରୋଭିକ୍‌ ଗୋଲ ସ୍କୋର କରିଥିଲେ। ତେବେ ଏହାର ଗୋଟିଏ ମିନିଟ ପରେ ବର୍ଣ୍ଣାଡୋ ସିଲଭା ଗୋଲ ଦେଇ ପର୍ତ୍ତୁଗାଲକୁ ବିଜୟୀ କରାଇଥିଲେ। ଏଥିସହିତ ପର୍ତ୍ତୁଗାଲ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ଓ ଦୁଇଟି ଡ୍ର ସହ ୫ ପଏଣ୍ଟ ପାଇ ଗ୍ରୁପ୍‌ ବି’ର ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଗ୍ରୁପ୍‌ରେ ୟୁକ୍ରେନ ୫ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ଗୋଟିଏ ଡ୍ର ସହ ୧୩ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି।

Share