ୟେମେନରେ ୨୦୧୫ରୁ ନିହତ ହେଲେଣି ଲକ୍ଷେ

କାଇରୋ,୧।୧୧:ୟେମେନରେ ଲାଗିରହିଥିବା ଗୃହଯୁଦ୍ଧରେ ୨୦୧୫ରୁ ବର୍ତ୍ତମାନ ସୁଦ୍ଧା ଲକ୍ଷେରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଲେଣି। ଏଥିରେ ୧୨ ହଜାରରୁ ଅଧିକ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ଆର୍ମଡ୍‌ କନ୍‌ଫ୍ଲିକ୍ଟ ଲୋକେଶନ ଆଣ୍ଡ ଇଭେଣ୍ଟ ଡାଟା ପ୍ରୋଜେକ୍ଟ (ଏସିଏଲ୍‌ଇଡି) ରିପୋର୍ଟରେ କୁହାଯାଇଛି। ୨୦୧୪ରେ ଇରାନ ସମର୍ଥିତ ବିଦ୍ରୋହୀ ଉତ୍ତର ଓ କେନ୍ଦ୍ରୀୟ ୟେମେନକୁ ଅକ୍ତିଆର କରିବା ପରେ ଆରବ ଜଗତର ଏହି ଦରିଦ୍ରତମ ଦେଶରେ ସଂଘର୍ଷ ସୃଷ୍ଟି ହୋଇଥିଲା। ଏହାର କିଛିମାସ ପରେ ସୌଦି ନେତୃତ୍ୱରେ ମିଳିତ ଶକ୍ତି ହୌଥି ବିଦ୍ରୋହୀକୁ ପ୍ରତିହତ କରିବା ଲାଗି ଏୟାରଷ୍ଟ୍ରାଇକ୍‌ ଆରମ୍ଭ କରିଥିଲା। ଏହି ଆକ୍ରମଣରେ ସ୍କୁଲ, ହସ୍ପିଟାଲ ଆଦି କ୍ଷତିଗ୍ରସ୍ତ ହେବା ସହ ହଜାର ହଜାର ନିରୀହ ଲୋକ ପ୍ରାଣ ହରାଇଥିଲେ। ହୌଥି ବିଦ୍ରୋହୀମାନେ ସୌଦି ଆରବ ଉପରେ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିବା ସହ ଲୋହିତ ସାଗରରେ ଥିବା ଏହାର ଜାହାଜଗୁଡ଼ିକୁ ଟାର୍ଗେଟ କରିଥିଲେ। ଏହି ସଂଘର୍ଷରେ ଗତବର୍ଷ ୩୦,୮୦୦ ଲୋକଙ୍କ ମୃତ୍ୟୁ ଘଟିଥିଲାବେଳେ ଚଳିତ ବର୍ଷ ପ୍ରାୟ ୨୦ ହଜାର ନିହତ ହେଲେଣି ବୋଲି ଏସିଏଲ୍‌ଇଡି ପକ୍ଷରୁ କୁହାଯାଇଛି।

Share