ୟେସ୍‌ ବ୍ୟାଙ୍କରେ ଟଙ୍କା ରଖିବା ନିଷ୍ପତ୍ତି ଭୁଲ୍‌ ଥିଲା: ମହେଶ୍ୱର

ପୁରୀ ଅଫିସ,୬।୩: ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମା ରଖିବା ପ୍ରସଙ୍ଗକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି। ଏଭଳି ନିଷ୍ପତ୍ତି ଭୁଲ୍‌ ଥିଲା। ଅଧିକ ସୁଧ ଲୋଭରେ ତତ୍‌କାଳୀନ ଶ୍ରୀମନ୍ଦିର ପ୍ରଶାସକ ଟଙ୍କା ରଖିଛନ୍ତି। ବ୍ୟାଙ୍କ ଏବେ ଦେବାଳିଆ ହେବା ନିଶ୍ଚିତ ଭାବେ ଉଦ୍‌ବେଗଜନକ। ଆର୍‌ବିଆଇ ସହ କଥା ହୋଇ ଶ୍ରୀମନ୍ଦିର ପ୍ରଶାସନ କିଭଳି ମହାପ୍ରଭୁଙ୍କ ଟଙ୍କା ୟେସ୍‌ ବ୍ୟାଙ୍କରୁ ଉଠାଯାଇ ଜାତୀୟକରଣ ବ୍ୟାଙ୍କରେ ରଖାଯାଇପାରିବ ସେ ନେଇ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ମହେଶ୍ୱର କହିଛନ୍ତି।

ପ୍ରକାଶ ଯେ, ୟେସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି। ଏ ନେଇ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ବ୍ୟାଙ୍କର କାରବାର ଉପରେ କଟକଣା ଜାରି କରିଛି। ବ୍ୟାଙ୍କ ବୋର୍ଡକୁ ଆର୍‌ବିଆଇ ବରଖାସ୍ତ କରିଛି। ଏଥିସହ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଏପ୍ରିଲ ୩ ଯାଏ କଟକଣା ଲାଗିଛି। ମୋରାଟୋରିୟମ ସମୟ ମଧ୍ୟରେ ଗ୍ରାହକଙ୍କ ପାଇଁ ଉଠାଣ ସୀମା ୫୦ହଜାର ଟଙ୍କା କରାଯାଇଛି। ତେବେ ବିବାହ ନଚେତ ମେଡିକାଲ ଏମର୍ଜେନ୍ସି କ୍ଷେତ୍ରରେ ଏହାକୁ କୋହଳ କରି ୫ ଲକ୍ଷ ଟଙ୍କା କରାଯାଇଛି। ଜମାକାରୀଙ୍କ ସ୍ବାର୍ଥ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଗ୍ରାହକଙ୍କୁ କହିଥିଲେ ସୁଦ୍ଧା ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି। ଅପରପକ୍ଷେ ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କାର ଜମାପାଣ୍ଠି ରହିଥିବାରୁ ଏହି ଟଙ୍କାର ଭାଗ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରିଚାଳନା କମିଟି ବିନା ଅନୁମୋଦନରେ କିଭଳି ଏତେ ପରିମାଣର ଟଙ୍କା ଏକ ଘରୋଇ ବ୍ୟାଙ୍କରେ ରଖାଗଲା ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି।

Share