ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରଖିବା ଘଟଣା: ବିଧାନସଭା ହୁଲୁସ୍ତୁଲୁ, ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୧୧।୩(ବ୍ୟୁରୋ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍‌ ବ୍ୟାଙ୍କରେ ରଖିବାକୁ ନେଇ ବୁଧବାର ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଏଥିଯୋଗୁ ଅପରାହ୍ନ ୩ଟା ଯାଏ ଗୃହକାର୍ଯ୍ୟ ହୋଇପାରି ନାହିଁ। ଭାଜପା ପକ୍ଷରୁ ଏ ନେଇ ଏକ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। ତେବେ ବାଚସ୍ପତି ଏହି ପ୍ରସ୍ତାବକୁ ବୁଧବାର ଆଲୋଚନା ପାଇଁ ଗ୍ରହଣ କରି ନ ଥିଲେ। ଗୁରୁବାର ଏହାକୁ ଆଲୋଚନା କରାଯିବ ବୋଲି ଗୃହରେ ସୂଚନା ଦେଇଥିଲେ। ମହାପ୍ରଭୁଙ୍କ ଟଙ୍କା ଖାଇଲା କିଏ? ଏହାର ଜବାବ ସରକାର ଦିଅନ୍ତୁ। ଏହି ଜିଦ୍‌ରେ ଅଡିବସି କଂଗ୍ରେସ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ।
ବୁଧବାରଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ୧୦ଟା ୩୦ ମିନିଟରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସଭାକାର୍ଯ୍ୟ ଚଳାଇବା ପାଇଁ ଗୃହକୁ ପ୍ରବେଶ କରିଥିଲେ। ସଦସ୍ୟମାନେ ଛିଡାହୋଇ ବାଚସ୍ପତିଙ୍କୁ ସ୍ବାଗତ କରିଥିଲେ। ବିଧାନସଭାରେ ୩ଜଣ ପୂର୍ବତନ ସଦସ୍ୟଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ୧୨ ମିନିଟ ପର୍ଯ୍ୟନ୍ତ ଏହି ଶୋକ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ୧୦ଟା ୪୨ ମିନିଟ୍‌ରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ମାତ୍ରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ, ସନ୍ତୋଷ ସିଂହ ସାଲୁଜାଙ୍କ ସମେତ କଂଗ୍ରେସର ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ମହାପ୍ରଭୁଙ୍କ ଟଙ୍କା ୟେସ୍‌ ବ୍ୟାଙ୍କରେ କାହିଁକି ରଖାଗଲା ବୋଲି ସରକାରଙ୍କଠାରୁ ଜବାବ ତଲବ କରିଥିଲେ। ସରକାର ବିରୋଧୀ ସ୍ଲୋଗାନ ଦେବା ସହିତ ଗୃହରେ ହୋ-ହଲ୍ଲା କରିଥିଲେ। ଅନ୍ୟପକ୍ଷରେ ଭାଜପା ସଦସ୍ୟମାନେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଦେଇଥିବାରୁ ନିଜେ ସିଟ୍‌ରେ ଚୁପ୍‌ ହୋଇ ବସି ରହିଥିଲେ। ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ୧୦.୪୨ରୁ ମଧ୍ୟାହ୍ନ ୧୨.୩୦ ଯାଏ ମୁଲତବୀ ଘୋଷଣା କରିଥିଲେ। ୧୨ .୩୦ରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। କଂଗ୍ରେସ ସଦସ୍ୟମାନେ ପୁଣି ଗୃହକୁ ଆସି ହୋ-ହଲ୍ଲା କରିଥିଲେ। ବାଚସ୍ପତି କହିଥିଲେ ୟେସ୍‌ ବ୍ୟାଙ୍କରେ ଥିବା ଟଙ୍କା ସମ୍ପର୍କରେ ମୁଲତବୀ ପ୍ରସ୍ତାବକୁ ମୁଁ ଗ୍ରହଣ କରିଛି। ଗୁରୁବାର ଏହା ଉପରେ ଆଲୋଚନା ହେବ। ଆପଣମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସହଯୋଗ କରନ୍ତୁ। ବାଚସ୍ପତିଙ୍କ ଏହି ଅନୁରୋଧକୁ କଂଗ୍ରେସ ସଦସ୍ୟମାନେ ଏଡାଇଦେବା ସହିତ ସରକାର ବିରୋଧୀ ସ୍ଲୋଗାନରେ ମାତିଯାଇଥିଲେ। ଗୃହରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ବାଚସ୍ପତି କୌଣସି ଉପାୟ ନ ପାଇ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ।

Share