ୟେସ୍‌ ବ୍ୟାଙ୍କ ପ୍ରସଙ୍ଗରୁ ମୁକୁଳିବା ପାଇଁ କରୋନା ବାହାନା: ଭାଜପା

ଭୁବନେଶ୍ୱର,୧୩।୩(ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ଏବେ ବିଧାନସଭା ବଜେଟ ଅଧିବେଶନ ଚାଲିଥିବା ବେଳେ ଏହାକୁ ମାର୍ଚ୍ଚ ୨୯ ଯାଏ ମୁଲତବୀ ଘୋଷଣା କରାଯାଇଛି। ଏହାକୁ ବିରୋଧ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି, ଏଯାବତ୍‌ ଓଡ଼ିଶାରେ କରୋନା ନମୁନା ପଜିଟିଭ ମିଳିନାହିଁ। ଏହାସତ୍ତ୍ୱେ ସରକାରଙ୍କ ଦ୍ୱାରା ବିଧାନସଭା ମୁଲତବୀ ଘୋଷଣା କରାଗଲା। ଏହା ପରିତାପର ବିଷୟ, ଗଣତନ୍ତ୍ର ପାଇଁ ଏକ ଉପହାସ। ଏବେ ପ୍ରଶ୍ନ ଉଠୁଛି କରୋନା ସରକାରଙ୍କୁ ଫାଇଦା ଦେଇଛି ନା ଆକ୍ରାନ୍ତ କରିଛି। କରୋନା ଆଳରେ ବିଧାନସଭାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଦିବସ ବଳି ଦିଆଯାଉଛି। ୟେସ୍‌ ବ୍ୟାଙ୍କ ପ୍ରସଙ୍ଗରୁ ମୁକୁଳିବା ପାଇଁ କରୋନା ବାହାନା ହୋଇଛି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଭାରତରେ କରୋନା ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହାକୁ ନେଇ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବିଧାନସଭା ସ୍ଥଗିତ ପାଇଁ ଶାସକ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବିରୋଧ କରିଥିବା ବେଳେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ସମର୍ଥନ ଜଣାଇଥିଲେ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ସହ ସମସ୍ତ ସ୍କୁଲକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରଖିବାକୁ ଘୋଷଣା କରିଥିଲେ।

Share