୧ମଣ୍ଡପ, ୫ ଗେଷ୍ଟ ହାଉସ୍‌ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର, ୧୯।୩ (ବ୍ୟୁରୋ): କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ବିଏମ୍‌ସି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାସହ କଟକଣା ଲାଗୁକରିଛି। । ହୋଲ୍ଡିଂ ଟ୍ୟାକ୍ସ ନ ଦେବା ସହ ବିନା ଟ୍ରେଡ୍‌ ଲାଇସେନ୍ସ ଏବଂ ଏସ୍‌ଓପିକୁ ମାନି ନ ଥିବା ୧ମଣ୍ଡପ, ୫ଗେଷ୍ଟ ହାଉସକୁ ବୁଧବାର ସିଲ୍‌ କରିଛି ବିଏମ୍‌ସି। ଅଶୋକନଗରରେ ଥିବା କେୟାର ଗେଷ୍ଟ ହାଉସ୍‌ ଓ ଦିଲ୍ଲୀପ ଗେଷ୍ଟ ହାଉସ୍‌, ଗାଡ଼କଣ ଓ ଟଙ୍କପାଣି ରୋଡ଼ରେ ଥିବା ଓୟୋ ଗେଷ୍ଟ ହାଉସ୍‌, ଜୟଦେବ ବିହାରରେ ଥିବା ଏସ୍‌ଆରଏସ୍‌ ଗେଷ୍ଟ ହାଉସ୍‌ ଏବଂ ବିଜେବି ନଗରରେ ଥିବା ଲକ୍ଷ୍ମୀ ନୃସିଂହ ମଣ୍ଡପକୁ ସିଲ୍‌ କରାଯାଇଛି। କରୋନା ପାଇଁ ବିଏମ୍‌ସି ଦ୍ୱାରା ଜାରି କରାଯାଇଥିବା ଏସ୍‌ଓପିକୁ ଉକ୍ତ ମଣ୍ଡପ ଓ ଗେଷ୍ଟ ହାଉସ୍‌ଗୁଡ଼ିକ ମାନୁ ନ ଥିବା ଅଭିଯୋଗ ହୋଇଥିଲା। ଲକ୍ଷ୍ମୀ ନୃସିଂହ ମଣ୍ଡପରେ ବିଭିନ୍ନ ସମୟରେ ଭୋଜିଭାତ କରାଯାଉଥିବା ବେଳେ ଅଗ୍ନିଶମ ପ୍ରମାଣପତ୍ର,ପାର୍କିଂ ସୁବିଧା, ବଜର୍‌ୟବସ୍ତୁ ପରିଚାଳନା ଓ ବିଲ୍ଡିଂ ପ୍ଲାନ୍‌ ମଞ୍ଜୁରୀ ନ ଥିବା ଅଭିଯୋଗ ହୋଇଥିଲା
ଏତଦ୍‌ବ୍ୟତୀତ ଭୁବନେଶ୍ୱରରେ ଥିବା ହୋଟେଲ, ଘରୋଇ ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ମଲ୍‌, ହାଟ, ମନ୍ଦିର, କଲ୍ୟାଣମଣ୍ଡପ, ପାର୍କ, ଫୁଡ୍‌ ଷ୍ଟଲ୍‌, ରେଷ୍ଟୁରାଣ୍ଟ, ଡ୍ୟାନ୍ସ ବାର୍‌ ଓ କର୍ପୋରେଟ୍‌ ସେକ୍ଟର ପାଇଁ ଏସ୍‌ଓପି ଜାରି କରାଯାଇଛି। ବାହାରୁ ଆସୁଥିବା ସମସ୍ତ ନାଗରିକଙ୍କ ତଥ୍ୟ ବିଏମ୍‌ସିକୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବହୁ ଘରୋଇ ଗେଷ୍ଟ ହାଉସ୍‌ ତଥ୍ୟ ଲୁଚାଉଥିବା ସାମ୍ନାକୁ ଆସିଛି। ବିଏମ୍‌ସି ଦ୍ୱିତୀୟ ଆଡିଶନାଲ କମିଶନର ଅବନୀକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ବିଏମ୍‌ସି ଉଚ୍ଛେଦକାରୀ ଦଳ ସିଲ୍‌ ପ୍ରକ୍ରିୟା ଜାରି ରଖିଥିବା ଜଣାପଡ଼ିଛି।

Share