୧ରୁ କୋଣାର୍କ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ବର୍ଷକର ପ୍ରତୀକ୍ଷା ପରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଡିସେମ୍ବର ୧ରୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ। ୫ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ଚଳିତବର୍ଷ ୫ ଶାସ୍ତ୍ରୀୟ ନୃତ୍ୟର ସମାହାର ଦେଖିବାକୁ ମିଳିବ। ଓଡ଼ିିଶୀ ନୃତ୍ୟ ସହ ଭାରତନାଟ୍ୟମ୍‌, କଥକ, କୁଚିପୁଡ଼ି ଏବଂ ମୋହିନୀଆଟ୍ଟମ୍‌ ନୃତ୍ୟ ମୁଖ୍ୟ ଆକର୍ଷଣ ରହିବ। ଚଳିତବର୍ଷ ମହୋତ୍ସବରେ ପ୍ରଥମଥର ପାଇଁ ବିଦେଶୀ ଶାସ୍ତ୍ରୀୟ ନୃତ୍ୟକଳା ପରିବେଷିତ ହେବ। ସୁଦୂର ଇଣ୍ଡୋନେସିଆର ଶାସ୍ତ୍ରୀୟ ତଥା ଲୋକନୃତ୍ୟ ‘ବାଲିନିଜ୍‌’କୁ ଦର୍ଶକ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଦେଖିବାର ସୁଯୋଗ ପାଇପାରିବେ। ଏନେଇ ଗୁରୁବାର ପାନ୍ଥନିବାସଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପର୍ଯ୍ୟଟନ ବିଭାଗ ଶାସନ ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି।
ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କୋଣାର୍କ ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ଭୁବନେଶ୍ୱର ‘ସୃଜନ’ ନୃତ୍ୟାନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ହେବାକୁଥିବାବେଳେ କଥକ ପରିବେଷଣ କରିବେ ପୁଣେର ଗୁରୁ ଶାମା ଭାଟେ ଓ ତାଙ୍କ ଦଳ। ଦ୍ୱିତୀୟ ସନ୍ଧ୍ୟାରେ ଇଣ୍ଡୋନେସିଆ ବାଲିର ଓ୍ବିଦ୍ୟା ବୁଦୟା ଓ ତାଙ୍କ ଦଳ ଦ୍ୱାରା ‘ବାଲିନିଜ୍‌’ ନୃତ୍ୟ ଏବଂ କଲିକତାର ଆଲୋକ କାନୁନ୍‌ଗୋ ଓ ତାଙ୍କ ଦଳ ଓଡ଼ିଶୀ ପରିବେଷଣ କରିବେ। ସେହିଭଳି ୩ୟ ସନ୍ଧ୍ୟାରେ ଅନୁଗୋଳର ନୃତ୍ୟନିଳୟ ଦଳ ଦ୍ୱାରା ଓଡ଼ିଶୀ ଏବଂ ନୂଆଦିଲ୍ଲୀର ଜୟପ୍ରଭା ମେନନ୍‌ ଓ ତାଙ୍କ ଦଳ ଦ୍ୱାରା ମୋହିନୀଆଟ୍ଟମ୍‌, ୪ର୍ଥ ସନ୍ଧ୍ୟାରେ ନୂଆଦିଲ୍ଲୀର ରାଜା ଓ ରାଧା ରେଡ୍ଡୀ ଏବଂ ତାଙ୍କ ଦଳ ଦ୍ୱାରା କୁଚିପୁଡ଼ି ଓ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ‘ତ୍ରିଧାରା’ର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ମଞ୍ଚସ୍ଥ ହେବ। ୫ମ ତଥା ଅନ୍ତିମ ସନ୍ଧ୍ୟାରେ ବୈଭବ ଆରେକର ଓ ଦଳ ଭାରତନାଟ୍ୟମ୍‌ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କଳାକାରମାନେ ଓଡ଼ିଶୀ ପରିବେଷଣ କରିବେ। ଚଳିତବର୍ଷ ୩୦ବର୍ଷରେ ପଦାର୍ପଣ କରୁଥିବା ଏହି ମହୋତ୍ସବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉଦ୍‌ଘାଟନ କରିବେ। କୋଣାର୍କ ମହୋତ୍ସବ ସହ ଚନ୍ଦ୍ରଭାଗାରେ ହେବାକୁ ଥିବା ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ଲାଗି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ସ୍ବତନ୍ତ୍ର ପ୍ୟାକେଜ୍‌ ରଖାଯାଇଥିବାବେଳେ ପର୍ଯ୍ୟଟକମାନେ ପାନ୍ଥନିବାସ ଓ୍ବେବ୍‌ସାଇଟ୍‌ରେ ଏଥିପାଇଁ ଅନ୍‌ଲାଇନ ବୁକିଂ କରିପାରିବେ। ଖବରଦାତା ସମ୍ମିଳନୀରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଆର୍‌. ଯାଦବ, ଓଟିଡିସି ଏମ୍‌ଡି ହେମାକାନ୍ତ ସଏ ଏବଂ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share