୧୦ବର୍ଷ ପରେ ଘରକୁ ଫେରି ଆତ୍ମହତ୍ୟା

ହିଞ୍ଜଳିକାଟୁ,୩ା୭(ଡି.ଏନ୍‌.ଏ.)- ୧୦ ବର୍ଷ ତଳେ ଘରୁ କେଉଁଆଡେ ଚାଲିଯାଇଥିଲେ। ୨ଦିନ ତଳେ ହଠାତ୍‌ ଘରକୁ ଫେରି ଜାଣିଲେ ୨ମାସ ତଳେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିରେ ମ୍ରିୟମାଣ ହୋଇ ଶେଷରେ ରଶି ଲଗାଇ ଜୀବନ ହାରିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ହିଞ୍ଜିଳି ଥାନା ଶିକିରି ଗ୍ରାମରେ। ମୃତକ ହେଲେ ହିଞ୍ଜିଳି ବନ୍ଧହୁଡ଼ା ସାହିର ଦେବ ଦାସ (୫୦)। ମଙ୍ଗଳବାର ରାତିରେ ଦେବ ଶୋଇବାକୁ ଯାଇ ଘରୁ କେଉଁଆଡେ ଚାଲି ଯାଇଥିଲେ। ବୁଧବାର ସକାଳୁ ଋଷିକୂଲ୍ୟା ନଦୀକୁ ଗାଧୋଇ ଯାଥିବା ଲୋକେ ଶିକିରି ଜନସ୍ବାସ୍ଥ୍ୟ ବିଭାଗ ପମ୍ପ ହାଉସ ନିକଟ ରେଲିଂରେ ଦେବାଦାସଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ନଂ.୧୪/୧୯ରେ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି। ସ୍ତ୍ରୀଙ୍କ ମୃତ୍ୟୁରେ ସେ ମ୍ରିୟମାଣ ହୋଇ ଏପରି ନିଷ୍ପତି ନେଇଥିବା ଆଲୋଚନା ହେଉଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

Share