୧୦ମ ସିକୁ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ସେର୍ଶାକୁ ହରାଇ ସେମିଫାଇନାଲରେ ରାଇଜିଂ ଷ୍ଟୁଡେଣ୍ଟ

ଧର୍ମଶାଳା,୬-୧୧(ଡି.ଏନ୍‌.ଏ.)- ଧର୍ମଶାଳା ମହୋତ୍ସବ ପଡ଼ିଆରେ ମଙ୍ଗଳବାର ସର୍ବଭାରତୀୟ ଦଶମ ବାର୍ଷିକ ସିକୁ କପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ୍‌ ଉଦ୍‌ଘାଟିତ ହୋଇଯାଇଛି। ସାମାଜିକ କର୍ମୀ ନମ୍ରତା ଚଢା ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ନାମେଣ୍ଟକୁ ଉଦ୍‌ଘାଟନ କରିଥିଲେ। ଅତିଥିଭାବେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ମ୍ୟାଚ୍‌ରେ ରାଞ୍ଚତ୍ର ସେର୍ଶା କ୍ର୍ରିକେଟ ଦଳକୁ ୫୩ ରନ୍‌ରେ ହରାଇ କଟକ ରାଇଜିଂ ଷ୍ଟୁଡେଣ୍ଟ୍‌ ସେମିଫାଇନାଲରେ ପ୍ରବେଶ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ରାଇଜିଂ ଷ୍ଟୁଡେଣ୍ଟ ଦଳ ନିର୍ଦ୍ଧାରିତ ୨୫ ଓଭର୍‌ରେ ୬ ଉଇକେଟ୍‌ ହରାଇ ୨୩୭ ରନ୍‌ କରିଥିଲା। ଦଳ ପକ୍ଷରୁ ହର୍ଷିତ୍‌ ରାଠୋର୍‌ ସର୍ବାଧିକ ୫୭ ରନ୍‌କରିଥିବା ବେଳେ ସୁଜିତ୍‌ ଲେଙ୍କା ୫୫ ରନ୍‌ କରିଥିଲେ ା ବିପକ୍ଷ ରାଞ୍ଚତ୍ ଦଳର ଅଜୟ ମଧୁକର୍‌ ୨ ଓ ଚନ୍ଦନ ମୁଖି ଗୋଟିଏ ଉଇକେଟ୍‌ ପାଇଥିଲେ। ଜବାବ୍‌ରେ ରାଞ୍ଚତ୍ ଦଳ ୨୩.୫ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୧୮୪ ରନ୍‌ କରି ପରାଜିତ ହୋଇଥିଲା। ଦଳ ପକ୍ଷରୁ ଅଜୟ ମଧୁକର୍‌ ୫୬ ରନ ଓ ଉଜ୍ଜଳ ପାଲ୍‌ ୩୮ ରନ୍‌ କରିଥିଲେ। ବିପକ୍ଷ କଟକ ଦଳର ତାରାକାନ୍ତ ସାମଲ ୩ ଓ ସିଦ୍ଧାର୍ଥ ସିହ୍ନା ୨ଟି ଉଇକେଟ୍‌ ପାଇଥିଲେ। ଖେଳକୁ ଆଶୁତୋଷ ପାଣି ଓ ସୌମେନ୍ଦ୍ର ପାତ୍ର ପରିଚାଳନା କରିଥିଲେ। ଚିତ୍ତରଞ୍ଜନ ମହାନ୍ତି, ସୌଭାଗ୍ୟ ମୁଦୁଲି ଓ ଶୁଭାଶିଷ ଦାସ ସହଯୋଗ କରିଥିଲେ। ଟ୍ରଷ୍ଟ ସଭାପତି ବିଜୟ କୁମାର ରାୟଙ୍କ ସଭାପତିତ୍ୱରେ ପୁରସ୍କାର ବିତରଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଯାଜପୁରର ପୂର୍ବତନ ସିଡିଏମ୍‌ଓ ରମେଶ ଚନ୍ଦ୍ର ସାହୁ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳର ହର୍ଷିତ ରାଥୋଡ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ। ବୁଧବାର ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ସ୍ପୋର୍ଟିଂ ୟୁନିୟନ ଝାଡଖଣ୍ଡ ଓ ସୁପର ନୋଭାସ ବିଶାଖାପାଟଣା ମଧ୍ୟରେ ଅନୁଷ୍ଠିତ ହେବା ନେଇ ଟ୍ରଷ୍ଟର ଆୟୋଜକ ସିତାଂଶୁ ଶେଖର ସାହୁ ସୂଚନା ଦେଇଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପୂର୍ବରୁ ଜେମାଶୁଣୀ ମନ୍ଦିରଠାରୁ ଖେଳପଡିଆ ପର୍ଯ୍ୟନ୍ତ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।