୧୦ରେ ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ: ‘ଓଡ଼ିଶା ପୋଷ୍ଟ’, ‘ଧରିତ୍ରୀ’ର ସସ୍ମିତା ହେବେ ସମ୍ମାନିତ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ପଲ୍ଲୀବାଣୀ ମିଶନ ପକ୍ଷରୁ ଅଗଷ୍ଟ ୧୦ରେ ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ ପ୍ରଦାନ କରାଯିବ। ନୂଆଦିଲ୍ଲୀର କନ୍‌ଷ୍ଟିଚ୍ୟୁଶନ କ୍ଲବର ସ୍ପିକର ହଲ୍‌ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଚଳିତବର୍ଷ ଓଡ଼ିଶାର ୭ଜଣ ବ୍ୟକ୍ତିବିଶେଷ ଓ ଗୋଟିଏ ସଂସ୍ଥାକୁ ଏହି ସମ୍ମାନ ପ୍ରଦାନ କରାଯିବ। ଓଡ଼ିଶାର ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’କୁ ସଂସ୍ଥା ଭାବେ ଏହି ପୁରସ୍କାର ମିଳିବାକୁ ଥିବାବେଳେ ଦୈନିକ ଖବରକାଗଜ ‘ଧରିତ୍ରୀ’ର ଖବରଦାତା ସସ୍ମିତା ପାଇକରାୟଙ୍କୁ ଏହି ସମ୍ମାନ ଦିଆଯିବ। ଏଥିସହିତ ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ବିରୂପାକ୍ଷ ତ୍ରିପାଠୀ, ଅର୍ଦ୍ଧେନ୍ଦୁ ଦାସ, ଅରବିନ୍ଦ ଦାସ, ଧୀରେନ୍ଦ୍ର ନାରାୟଣ ମିଶ୍ର, ସମ୍ବିତ ସାହୁ, ସୌଭାଗ୍ୟ ସୁନ୍ଦରରାୟଙ୍କୁ ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ ପ୍ରଦାନ କରାଯିବ। ଏହି ଉପଲକ୍ଷେ ଦିଲ୍ଲୀରେ ଦୀର୍ଘ ୨୩ବର୍ଷ ଧରି ନିୟମିତ ଭାବେ ପ୍ରକାଶ ପାଇଆସୁଥିବା ସାହିତ୍ୟ ପତ୍ରିକା ‘ପଲ୍ଲୀବାଣୀ’ର ଏକ ସ୍ବତନ୍ତ୍ର ସଂଖ୍ୟାର ଲୋକାର୍ପଣ କରାଯିବ। କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେବେ ବୋଲି ପଲ୍ଲୀବାଣୀ ମିଶନର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ କହିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଆ ଏବଂ ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଓ ପରିଚୟ ହାସଲ କରିଥିବା ସାମ୍ବାଦିକମାନଙ୍କୁ ପ୍ରତିବର୍ଷ ପଲ୍ଲୀବାଣୀ ମିଶନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

Share