୧୦ଲକ୍ଷ ଟପିବ ସଂକ୍ରମିତଙ୍କ ସଂଖ୍ୟା: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୩ା୪: ଦିନକୁ ଦିନ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାରରୁ ଅଧିକ ଥିବାବେଳେ ମୃତକଙ୍କ ସଂଖ୍ୟା ୪୭ ହଜାର ୨୦୫ ଛୁଇଁଛି। ୧ ଲକ୍ଷ ୯୪ ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଖୁବଶୀଘ୍ର ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଟପିବା ସହିତ ମୃତ୍ୟୁ ସଂଖ୍ୟା ୫୦ ହଜାର ଟପିବାର ଆଶଙ୍କା ରହିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ପକ୍ଷରୁ କୁହାଯାଇଛି। ଏସମ୍ପର୍କରେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରେସ୍‌ ଗେବ୍ରେୟେସିୟୁସ୍‌ ସୂଚନା ଦେଇଛନ୍ତି। ୪ ମାସ ତଳେ କାହାକୁ କରୋନା ସମ୍ପର୍କରେ ଜଣା ନ ଥିଲା। ମାତ୍ର ଏବେ ଏହି ଭୂତାଣୁ ସମଗ୍ର ପୃଥିବୀ ପାଇଁ ସଙ୍କଟ ସୃଷ୍ଟି କରିଛି। ଗତ ଏକ ସପ୍ତାହ ମଧ୍ୟରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଦୁଇଗୁଣା ହୋଇଯାଇଥିବା ସେ କହିଛନ୍ତି। ଏହା ପ୍ରତିଟି ଦେଶରେ ଦ୍ରୁତ ବେଗରେ ସଂକ୍ରମଣ ହେବାରେ ଲାଗିଛି। ଏଥିପାଇଁ ଜାରି ହୋଇଥିବା ସୁରକ୍ଷା ମାର୍ଗଦର୍ଶିକାକୁ ଲୋକେ ମାନିବା ଆବଶ୍ୟକ ବୋଲି ସେ କହିଛନ୍ତି।

Share