୧୦ହଜାର ଟଙ୍କା ଲାଞ୍ଚ ନେଇ ସେସୁ କିରାଣି ଗିରଫ: ସହଯୋଗ କରିଥିବା ପାନଦୋକାନୀ ମଧ୍ୟ ବନ୍ଧାହେଲେ

ପୁରୀ ଅଫିସ/କଣାସ, ୫ା୧୧(ଡି.ଏନ୍‌.ଏ):  ପୁରୀ ଜିଲା କଣାସ ବ୍ଲକ ବିଦ୍ୟୁତ୍‌ ବିଭାଗ ସେସୁ ଅଧୀନରେ କାର୍ଯ୍ୟରତ କିରାଣି ସୁରେନ୍ଦ୍ର ନାୟକ ସୋମବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏକ ଟ୍ରାନ୍ସଫରମର ସ୍ଥାପନା ଲାଗି ଜନୈକ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଏଥିସହିତ ଲାଞ୍ଚ ଟଙ୍କା ଗ୍ରହଣ କରିବାରେ ସହଯୋଗ କରିଥିବା ନରେନ୍ଦ୍ର ବିଶ୍ୱାଳ ନାମକ ଜଣେ ପାନ ଦୋକାନୀଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛିି।
ଫନୀରେ କଣାସ ବ୍ଲକ ଅନ୍ତର୍ଗତ ପୁରହିତପୁର ଗ୍ରାମର ୧୬କେଭି ଟ୍ରାନ୍ସଫରମର ପୋଡି ଯାଇଥିଲା। ପରବର୍ତ୍ତି ସମୟରେ ଏହା ମରାମତି ହୋଇଥିଲେ ମଧ୍ୟ ବାରମ୍ବାର ଫଲ୍ଟ ହେଉଥିଲା। ଏହା ପରିବର୍ତ୍ତେ ୨୫କେଭି ବିଶିଷ୍ଟ ଟ୍ରାନ୍ସଫରମର ସ୍ଥାପନ ଲାଗି ଗ୍ରାମବାସୀ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ କର୍ତ୍ତୃପକ୍ଷ କୌଣସି ଗୁରୁତ୍ୱ ଦେଇ ନ ଥିଲେ। ନୂତନ ଟ୍ରାନ୍ସଫରମର ସ୍ଥାପନା ଲାଗି ଗ୍ରାମର ସୂର୍ଯ୍ୟପ୍ରସାଦ ମିଶ୍ର ନାମକ ଯୁବକ କଣାସ ସେକ୍ସନ କନିଷ୍ଠଯନ୍ତ୍ରୀ ସରୋଜ ବେହେରାଙ୍କୁ ଅନୁରୋଧ କରିଥିଲେ। ଯନ୍ତ୍ରୀ ଏ ସମ୍ପର୍କରେ କିରାଣି ସୁରେନ୍ଦ୍ରଙ୍କ ସହ ଆଲୋଚନା କରିବାକୁ କହିଥିଲେ। ନୂତନ ଟ୍ରାନ୍ସଫରମର ସ୍ଥାପନ ଲାଗି କିରାଣୀ ସୁରେନ୍ଦ୍ର ତାଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମେ ସୂର୍ଯ୍ୟ ଅମଙ୍ଗ ହୋଇଥିଲେ ବି ପରେ ରାଜି ହୋଇଥିଲେ। ଏନେଇ ସେ ପୁରୀ ଭିଜିଲାନ୍ସ ଡିଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବତ ସୂର୍ଯ୍ୟ ସୋମବାର ସୁରେନ୍ଦ୍ରଙ୍କୁ ସେସୁ କାର୍ଯ୍ୟାଳୟରେ ଦେଖା କରିଥିଲେ। ଏହି ଟଙ୍କା ସେ ନିକଟରେ ଥିବା ପାନ ଦୋକାନୀ ନରେନ୍ଦ୍ରଙ୍କ ହାତରେ ଦେବାକୁ କହିଥିଲେ। ସୂର୍ଯ୍ୟ ଏହି ଟଙ୍କା ନରେନ୍ଦ୍ରଙ୍କୁ ଦେଇ ସେଠାରୁ ଚାଲିଯାଇଥିଲେ। ଏହାର କିଛି ସମୟ ପରେ ସୁରେନ୍ଦ୍ର ସମ୍ପୃକ୍ତ ଦୋକାନୀଙ୍କଠାରୁ ଲାଞ୍ଚ ଟଙ୍କା ନେଇ ପକେଟରେ ରଖିବା ବେଳେ ଭିଜିଲାନ୍ସ ଟିମ୍‌ ମାଡି ବସିଥିଲା।

Share