Categories: ବାଣିଜ୍ୟ

୧୦୦ରୁ ଊର୍ଦ୍ଧ୍ୱ ଟିସିଏସ୍‌ କର୍ମଚାରୀ କୋଟିପତି

ବେଙ୍ଗାଲୁରୁ,୧୪-୬: ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌(ଟିସିଏସ୍‌)ରେ କୋଟିପତି କର୍ମଚାରୀଙ୍କ ସଂଖ୍ୟା ୧୦୦ରୁ ଊର୍ଦ୍ଧ୍ୱ ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ କର୍ମଚାରୀ ନିଜ କ୍ୟାରିୟର ଏହି କମ୍ପାନୀରୁ ଆରମ୍ଭ କରିଛନ୍ତି। ଆର୍ଥିକ ବର୍ଷ ୨୦୧୭ରେ ଟିସିଏସ୍‌ରେ ୯୧ ଜଣ କୋଟିପତି କର୍ମଚାରୀ ଥିଲେ, ଯାହା କି ଆର୍ଥିକ ବର୍ଷ ୨୦୧୯ରେ ବୃଦ୍ଧି ପାଇ ୧୦୩ ହୋଇଛି। ତେବେ ଏମାନଙ୍କ ଭିତରେ ସିଇଓ ରାଜେଶ ଗୋପିନାଥନ ଏବଂ ସିଓଓ ଏନଜି ସୁବ୍ରମଣ୍ୟମ ସାମିଲ ନୁହନ୍ତି। ସେହିପରି ଟିସିଏସ୍‌ରେ କାର୍ଯ୍ୟରତ ବିଦେଶୀ କର୍ମଚାରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇନାହିଁ। ଆଇଟି ସେକ୍ଟରର ଅନ୍ୟତମ ଶୀର୍ଷ କମ୍ପାନୀ ଇନ୍‌ଫୋସିସ୍‌ରେ ୬୦ରୁ ଅଧିକ କର୍ମଚାରୀ ୧.୦୨ କୋଟି ଟଙ୍କା ଆୟ କରୁଛନ୍ତି। ଟିସିଏସ୍‌ ଭଳି ଇନ୍‌ଫୋସିସ୍‌ରେ ମଧ୍ୟ କମ୍ପେନ୍‌ସେଶନ ଅଧୀନରେ ଷ୍ଟକ୍‌ ଅପ୍‌ସନକୁ ଧରାଯାଇନାହିଁ। ଟିସିଏସ୍‌ର ଲାଇଫ୍‌ ସାଇନ୍ସେସ୍‌, ହେଲ୍‌ଥକେୟାର ଏବଂ ପବ୍ଲିକ୍‌ ସର୍ଭିସେସ୍‌ ବିଜନେସ ମୁଖ୍ୟ ଦେବାଶୀଷ ଘୋଷଙ୍କୁ ବାର୍ଷିକ ୪.୭ କୋଟି ଟଙ୍କା ଦରମା ମିଳିଥାଏ। ସେହିପରି ବିଜ୍‌ନେସ୍‌ ଓ ଟେକ୍ନୋଲୋଜି ସର୍ଭିସେସ୍‌ ମୁଖ୍ୟ କୃଷ୍ଣନ ରାମାନୁଜମ ୪.୧ କୋଟି ଆୟ କରନ୍ତି। କମ୍ପାନୀର ବ୍ୟାଙ୍କିଙ୍ଗ, ଫାଇନାନ୍ସିଆଲ ସର୍ଭିସେସ୍‌ ଓ ଇନସ୍ୟୁରାନ୍ସ ବିଜ୍‌ନେସ୍‌ ମୁଖ୍ୟ କେ.କୃଥିବାସନଙ୍କୁ ୪.୩ କୋଟି ଟଙ୍କା ଦରମା ମିଳିଥାଏ। କମ୍ପାନୀ ଏହାର ବାର୍ଷିକ ରିପୋର୍ଟରେ ଏହାକୁ ଦର୍ଶାଇ ନ ଥାଏ। ସବୁଠୁ ବଡ଼ କଥା କମ୍ପାନୀର ସବୁଠାରୁ ବୟୋଜ୍ୟେଷ୍ଠ କର୍ମଚାରୀ ଫାଇନାନ୍ସର ଭାଇସ୍‌ ପ୍ରେସିଡେଣ୍ଟ ୭୨ ବର୍ଷୀୟ ବରିନ୍ଦ୍ରା ସାନ୍ୟାଲଙ୍କୁ ୧ କୋଟିରୁ ଅଧିକ ଟଙ୍କା ଦରମା ଆକାରରେ ମିଳିଥାଏ। ସିନିୟର ଲିଡରଶିପ୍‌ରେ ସ୍ଥିରତା କାରଣରୁ ଟିସିଏସ୍‌ କ୍ରମାଗତ ସଫଳତା ହାସଲ କରୁଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ମୁମ୍ବାଇସ୍ଥିତ ଏକ ବ୍ରୋକରେଜ ହାଉସର ଆନାଲିଷ୍ଟଙ୍କ କହିବାନୁଯାୟୀ, ବରିଷ୍ଠ ଅଧିକାରୀମାନଙ୍କୁ ନିଜ ସହ ଯୋଡିବା ପାଇଁ ଟିସିଏସ୍‌ ସ୍ବତନ୍ତ୍ର କ୍ୟାରିୟର ଗ୍ରୋଥ୍‌ ଆପଣାଇଛି। ଫଳରେ କର୍ମଚାରୀମାନେ କମ୍ପାନୀ ଛାଡିବାକୁ ରାଜି ନୁଅନ୍ତି।

Share