୧୦୦୦ରୁ ଅଧିକ ବିଦେଶୀ ଉତ୍ପାଦ ପାରାମିଲିଟାରୀ କ୍ୟାଣ୍ଟିନ ତାଲିକାରୁ ହଟିଲା

ନୂଆଦିଲ୍ଲୀ,୧।୬: କରୋନା ସଂକ୍ରମଣ ଯୋଗୁ ଦେଶର ଆର୍ଥିକ ସ୍ଥିତିରେ ସୁଧାର ପାଇଁ ପ୍ରଧାନମନ୍ତ୍ରୀ ସ୍ବଦେଶୀ ଉତ୍ପାଦ ବ୍ୟବହାରକୁ ଗୁରୁତ୍ୱ ଦେଇଥିଲେ। ଏହା ଅନ୍ତର୍ଗତ ଦେଶରେ ଥିବା ପାରାମିଲିଟାରୀ କ୍ୟାଣ୍ଟିନ ତାଲିକାରୁ ୧୦୦୦ରୁ ଅଧିକ ବିଦେଶୀ ଉତ୍ପାଦକୁ ହଟାଇ ଦିଆଯାଇଛି। ଜୁନ୍‌ ୧ଠାରୁ ଏସବୁ କ୍ୟାଣ୍ଟିନ୍‌ରେ କେବଳ ସ୍ବଦେଶୀ ଉତ୍ପାଦ ବିକ୍ରି ଆରମ୍ଭ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହେବା ପରେ କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାରରେ ମାଇକ୍ରୋଓ୍ବେଭ୍‌ ଓଭାନ୍‌ଠାରୁ ଆରମ୍ଭ କରି ବ୍ରାଣ୍ଡେଡ୍‌ ଫୁଟଓ୍ବେର ଉତ୍ପାଦ ତଥା ଟି-ଶର୍ଟକୁ ତାଲିକାରୁ ହଟାଇ ଦିଆଯାଇଛି। କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାର ପକ୍ଷରୁ ଉପଲବ୍ଧ ସ୍ବଦେଶୀ ସାମଗ୍ରୀକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ସୂଚନାଯୋଗ୍ୟ, ଏସବୁ କଲ୍ୟାଣ ଭଣ୍ଡାରରୁ ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ଆଇଟିବିପି, ସିଆଇଏସ୍‌ଏଫ୍‌, ଏସ୍‌ଏସ୍‌ବି, ଏନ୍‌ଏସ୍‌ଜି ଏବଂ ଆସାମ ରାଇଫଲ୍ସରେ ମୁତୟନ ଥିବା ପ୍ରାୟ ୧୦ ଲକ୍ଷ ସୁରକ୍ଷାକର୍ମୀଙ୍କ ୫୦ ଲକ୍ଷରୁ ଅଧିକ ପରିବାର ସଦସ୍ୟ ଆବଶ୍ୟକ ସାମଗ୍ରୀ କ୍ରୟ କରିଥାନ୍ତି।

Share