Categories: ଖେଳ

୧୦୦ ଅନ୍ତର୍ଜାତୀୟ ଟି୨୦ ଖେଳିଥିବା କ୍ଲବରେ ଆଲିସା ହେଲି

ସିଡ୍‌ନୀ,୩୦।୯(ପିଟି): ଗତକିଛି ବର୍ଷ ହେଲା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇ ରହିଥିବା ଉଇକେଟକିପର ଆଲିସା ହେଲି ସୋମବାର କ୍ୟାରିୟରର ୧୦୦ତମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ମହିଳା କ୍ରିକେଟରଙ୍କ ମଧ୍ୟରେ ସେ ୯ମ ଖେଳାଳି ଭାବେ ଏହି ସମ୍ମାନଜନକ କ୍ଲବରେ ସାମିଲ ହୋଇଛନ୍ତି। ୨୯ ବର୍ଷୀୟ କ୍ରିକେଟର ଶ୍ରୀଲଙ୍କା ବିପକ୍ଷ ଟି୨୦ ମ୍ୟାଚ୍‌ ଅବସରରେ ଏହି ମାଇଲଷ୍ଟୋନ ଛୁଇଁଛନ୍ତି। ତେବେ କ୍ୟାରିୟରର ୧୦୦ ତମ ଟି୨୦ ମ୍ୟାଚ୍‌ରେ ଆଲିସା ସେତେଟା ଭଲ ପ୍ରଦର୍ଶନ କରିପାରି ନ ଥିଲେ। ସେ ୧୫ ବଲର ସମ୍ମୁଖୀନ ହୋଇ ୨ ଚୌକା ଓ ଗୋଟିଏ ଛକା ବଳରେ ୨୧ ରନ୍‌ କରି ଆଉଟ୍‌ ହୋଇଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସଓମ୍ୟାନଙ୍କୁ ଶ୍ରୀଲଙ୍କା ବୋଲରମାନେ ଆଉଟ୍‌ କରିପାରି ନ ଥିଲେ। ବେଥ ମୁନିଙ୍କ ୨୮ ଓ ଏରିନ ବନର୍‌ସଙ୍କ ଅପରାଜିତ ୩୦ ରନ୍‌ ବଳରେ ମାତ୍ର ୯.୪ ଓଭରରେ ୮୮ ରନ୍‌ କରି ଅଷ୍ଟ୍ରେଲିଆ ମ୍ୟାଚ୍‌ ଜିତିନେଇଥିଲା। ଆଲିସା ଅଷ୍ଟ୍ରେଲିଆର ଦ୍ୱିତୀୟ ମହିଳା ଖେଳାଳି ଭାବେ ୧୦୦ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ଏଲିସେ ପେରି ପ୍ରଥମ ଅଷ୍ଟ୍ରେଲିଆନ।

 

Share