Categories: ବାଣିଜ୍ୟ

୧୦୦ ଟଙ୍କିଆ ବାର୍ନିସ ନୋଟ୍‌ ଜାରି କରିବ ଆର୍‌ବିଆଇ

ମୁମ୍ବାଇ,୩୧-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ୧୦୦ ଟଙ୍କିଆ ନୂଆ ବାର୍ନିସ ନୋଟ୍‌ ଜାରି କରିବ। ଏହି ନୂଆ ନୋଟ୍‌ର ଗୁଣବତ୍ତା ପୂର୍ବାପେକ୍ଷା ଅଧିକ ରହିବ। ଏ ସମ୍ପର୍କରେ ଆର୍‌ବିଆଇ ବାର୍ଷିକ ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିରେ କୁହାଯାଇଛି ଯେ, ୧୦୦ ଟଙ୍କିଆ ବାର୍ନିଶ ନୋଟ୍‌କୁ ପ୍ରଥମେ ଟ୍ରାୟାଲ ଆଧାରରେ ଜାରି କରାଯିବ। ସ୍ବତନ୍ତ୍ର ଲେୟର ନୋଟ୍‌ର ସ୍ଥାୟିତ୍ୱ ଅଧିକ ହେବ ଏବଂ ଏହା ଶୀଘ୍ର ଖରାପ ହେବ ନାହିଁ। ତେବେ କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ଯୋଗୁ ନୋଟ୍‌ ଛାପା ଖର୍ଚ୍ଚ ବଢ଼ିିଯିବ। ସୂଚନାଯୋଗ୍ୟ ଯେ, ନୋଟ୍‌ ଉପରେ ଏକ ବାର୍ନିସର ଏକ ସ୍ବତନ୍ତ୍ର ପରସ୍ତ ଦିଆଯାଏ। ଏହି କାରଣରୁ ଏଭଳି ନୋଟ୍‌ ଶୀଘ୍ର ନଷ୍ଟ ହୁଏ ନାହିଁ। ଏହାଛଡ଼ା ଏଭଳି ନୋଟ୍‌ ଶୀଘ୍ର ଖରାପ ହୁଏ ନାହିଁ। ବିଶ୍ୱର ଏକାଧିକ ଦେଶରେ ବାର୍ନିସ ନୋଟ୍‌ ବ୍ୟବହାର କରାଯାଉଛି। ବର୍ତ୍ତମାନର ନୂଆ ନୋଟ୍‌ ଗୁଡ଼ିକ ଶୀଘ୍ର ଖରାପ ହୋଇଯାଉଥିବାରୁ ଆର୍‌ବିଆଇ ବାର୍ନିସ ନୋଟ୍‌ ପ୍ରଚଳନ ପାଇଁ ନିଷ୍ପତ୍ତି ନେଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ୫୦୦ ଟଙ୍କିଆ ଜାଲ୍‌ ନୋଟ କାରବାର ୨୦୧୮-୧୯ ଆର୍ଥିକ ବର୍ଷରେ ପୂର୍ବ ବର୍ଷ ଅପେକ୍ଷା ୧୨୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଅବଧିରେ ୨୦୦୦ ଟଙ୍କିଆ ଜାଲ୍‌ ନୋଟ ପରିମାଣ ୨୧.୯ ପ୍ରତିଶତ ବଢ଼ିଛି। ସେହିପରି ୧୦,୨୦ ଓ ୫୦ ଟଙ୍କିଆ ଜାଲ୍‌ ନୋଟ କାରବାର ଯଥାକ୍ରମେ ୨୦.୨, ୮୭.୨ ଓ ୫୭.୩% ବୃଦ୍ଧି ପାଇଛି। ଅନୁରୂପ ଭାବେ ୭.୫% ୧୦୦ ଟଙ୍କିଆ ଜାଲ୍‌ ନୋଟ୍‌ କାରବାର ବଢ଼ିଛି। ୨୦୧୮ ଜୁଲାଇ ପହିଲାରୁ ଚଳିତବର୍ଷ ଜୁନ୍‌ ସୁଦ୍ଧା ମୋଟ ୪୮.୧୧ ବିଲିୟନ ଟଙ୍କା ଖର୍ଚ୍ଚ କରାଯାଇଛି। ଗତ ବର୍ଷ ଏହି ସମୟରେ ଏହା ୪୯.୧୨ ବିଲିୟନ ଟଙ୍କା ଥିଲା।

Share