୧୦୦ ପଞ୍ଜୀକୃତଙ୍କଠାରେ କରୋନା ଲକ୍ଷଣ ସନ୍ଦେହ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ନୂଆ କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ସେହି ୨ଜଣ ପଜିଟିଭ୍‌ ଆକ୍ରାନ୍ତ ରହିଛନ୍ତି। ଏହି ଦୁଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୪୫ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେଶନ୍‌ରେ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୩୮୬୧ ଜଣ ୧୦୪ ହେଲ୍ପଲାଇନ୍‌ ଏବଂ ପୋର୍ଟାଲ୍‌ ଜରିଆରେ ନାମ ପଞ୍ଜୀକରଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୦୦ଜଣଙ୍କ ପାଖରେ କିଛି କିଛି ଲକ୍ଷଣ ଥିବା ସନ୍ଦେହ କରାଯାଉଛି। ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ଓଡ଼ିଶାରେ ୧୧୦ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମସ୍ତ ନମୁନାର ରିପୋର୍ଟ ମିଳିଛି। ସବୁ ଥଣ୍ଡା, ଜ୍ୱର କୋଭିଡ୍‌ ୧୯ ନୁହେଁ। ଯଦି ଜ୍ୱର ଅଧିକ ରହୁଛି ଓ ଶ୍ୱାସରେ କଷ୍ଟ ହେଉଛି ତେବେ ୧୦୪କୁ ଫୋନ୍‌ କରନ୍ତୁ। ଆପଣ ରୋଗୀକୁ ନେଇ ହସ୍ପିଟାଲ ଯାଆନ୍ତୁ ନାହିଁ। ନିଜେ ସଂକ୍ରମିତ ହେବା ସହିତ ଅନ୍ୟମାନେ ସଂକ୍ରମିତ ହେବେ। ୧୦୪ ନମ୍ବରକୁ ଫୋନ୍‌ କଲେ ରୋଗୀଙ୍କୁ ଡାକ୍ତରଖାନା ନେବା ଓ ଛାଡ଼ିଦେବା ବ୍ୟବସ୍ଥା କରାଯିବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ୍‌-୧୯ ପରି ଲକ୍ଷଣ ହେତୁ ଅସୁସ୍ଥ ଅନୁଭବ କରୁଥିବା କର୍ମଚାରୀ ୧୪ ଦିନ ନିମନ୍ତେ କର୍ମସ୍ଥଳୀ ତ୍ୟାଗ କରି ଅଲଗା ରହିପାରିବେ। ସେହିପରି କୌଣସି ସରକାରୀ କର୍ମଚାରୀ ହେଳା ନ କରି ଆସନ୍ତା ୪୮ଘଣ୍ଟାରେ କାର୍ଯ୍ୟରେ ଯୋଗଦେବେ। ନଚେତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବାଗ୍‌ଚୀ କହିଛନ୍ତି।

Share