୧୦୦ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତରୁ ୧୧

ଲଣ୍ଡନ,୨୦ା୨(ପି.ଟି.): ବିଶ୍ୱର ବିକାଶଶୀଳ ଅର୍ଥନୀତି ମଧ୍ୟରୁ ବଛାଯାଇଥିବା ୧୦୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତରୁ ୧୧ଟି ସ୍ଥାନ ପାଇଛି। ଟାଇମ୍ସ ହାୟର ଏଜୁକେଶନ୍ସ ଇମର୍ଜିଂ ଇକୋନୋମିଜ୍‌ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ ୨୦୨୦ରୁ ଏହା ଜଣାପଡିଛି। ମୋଟ ୪୭ଟି ଦେଶର ୫୩୩ ବିଶ୍ୱବିଦ୍ୟାଳୟକୁ ନେଇ ଏହି ସର୍ଭେ କରାଯାଇଥିବାବେଳେ ସେଥିରେ ଭାରତରୁ ୫୬ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଥିଲା। ଶ୍ରେଷ୍ଠ ବିବେଚିତ ୧୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଚାଇନାରୁ ସର୍ବାଧିକ ୩୦ଟି ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ ଭାରତ ରହିଛି। ଏହି ତାଲିକାରେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ସାଇନ୍ସ (ଆଇଆଇଏସ୍‌ସି) ୧୬ତମ ସ୍ଥାନରେ ରହିଥିବାବେଳେ ଏହା ପଛକୁ ରହିଛି ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି (ଆଇଆଇଟି)। ଭାରତୀୟ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଦେଖାଇଛନ୍ତି। ଭାରତ ସରକାର ୨୦୧୭ରେ ଇନ୍‌ଷ୍ଟିଚ୍ୟୁଟ୍ସ ଅଫ ଏମିନେନ୍ସ ପ୍ରତିଷ୍ଠା କରିଥିଲେ। ଏଥିରେ ଅଂଶଗ୍ରହଣକାରୀ ବିଶ୍ୱବିଦ୍ୟାଳୟ ଅମୃତ ବିଶ୍ୱ ବିଦ୍ୟାପୀଠମ୍‌ ପ୍ରଥମ ଥର ପାଇଁ ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି। ଅନ୍ୟମାନଙ୍କ ମଧ୍ୟରେ ଆଇଆଇଟି ଖଡ଼ଗପୁର ୨୩ ସ୍ଥାନ ଉପରକୁ ଉଠି ୩୨ତମ ସ୍ଥାନରେ ପହଞ୍ଚିଥିବାବେଳେ ଆଇଆଇଟି ଦିଲ୍ଲୀ ୩୮ତମ, ଆଇଆଇଟି ମାଡ୍ରାସ ୬୩ତମ ସ୍ଥାନରେ ରହିଛି। ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି ରୋପଡ୍‌ ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ କେମିକାଲ ଟେକ୍‌ନୋଲୋଜି ପ୍ରଥମ ଥର ଏହି ର଼୍ୟାଙ୍କିଙ୍ଗ୍‌ରେ ପ୍ରବେଶ କରି ଶ୍ରେଷ୍ଠ ୧୦୦ ମଧ୍ୟରେ ସ୍ଥାନ ପାଇଛନ୍ତି।

Share