Categories: ଜାତୀୟ

୧୦୦ ସ୍ପାଇସ୍‌ ବୋମା କିଣିବ ଭାରତ

ନୂଆଦିଲ୍ଲୀ,୮ା୬: ଇସ୍ରାଏଲ୍‌ରୁ ପାଖାପାଖି ୩୦୦ କୋଟି ଟଙ୍କା ବ୍ୟୟରେ ୧୦୦ରୁ ଅଧିକ ସ୍ପାଇସ୍‌ ୨୦୦୦ ବୋମା କିଣିବା ଲାଗି ଭାରତୀୟ ବାୟୁସେନା ଗୁରୁବାର ଚୁକ୍ତି ସ୍ବାକ୍ଷର କରିଛି। ଫେବୃୟାରୀ ୨୬ରେ ପାକିସ୍ତାନର ବାଲାକୋଟରେ ଥିବା ଜୈଶ-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବା ଲାଗି ବାୟୁସେନା ଏୟାରଷ୍ଟ୍ରାଇକ୍‌ରେ ଏହି ବୋମା ବ୍ୟବହାର କରିଥିଲା। ଚୁକ୍ତିନାମା ଅନୁଯାୟୀ ଜରୁରିକାଳୀନ ଭିତ୍ତିରେ ଇସ୍ରାଏଲ ଆଗାମୀ ୩ ମାସ ମଧ୍ୟରେ ଏହି ବୋମା ଯୋଗାଇଦେବ। ସ୍ପାଇସ୍‌ ବୋମାର ଗତିରୋଧ ସୀମା ୬୦ କିଲୋମିଟର ରହିଛି ଏବଂ ଦୃଶ୍ୟ ମେଳକ ଆଲ୍‌ଗୋରିଦମ୍‌ ଅନୁଯାୟୀ ଏହା ଲକ୍ଷ୍ୟସ୍ଥଳକୁ ଭେଦ କରିଥାଏ। ଇସ୍ରାଏଲ୍‌ର ରାଫାଲ ଆଡଭାନ୍ସଡ୍‌ ଡିଫେନ୍ସ ସିଷ୍ଟମ୍ସ ଏହି ବୋମାର ନିର୍ମାତା। କେନ୍ଦ୍ରରେ ନୂଆ ସରକାରଙ୍କର ଏହା ପ୍ରଥମ ପ୍ରତିରକ୍ଷା ଡିଲ୍‌। ଫେବୃୟାରୀ ୧୪ରେ ଜେଇଏମ୍‌ ଆତଙ୍କବାଦୀ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ ଆକ୍ରମଣ କରିବା ପରେ ଏହାର ପ୍ରତିଶୋଧ ସ୍ବରୂପ ଭାରତୀୟ ବାୟୁସେନା ବାଲାକୋଟରେ ଏୟାରଷ୍ଟ୍ରାଇକ୍‌ କରିଥିଲା। ମିରାଜ-୨୦୦୦ ଯୁଦ୍ଧବିମାନ ବାଲାକୋଟର ତିନୋଟି ସ୍ଥାନକୁ ଟାର୍ଗେଟ କରି ୫ଟି ସ୍ପାଇସ୍‌ ବୋମା ମାଡ଼ କରିଥିଲା। ୯୦୦ କିଲୋଗ୍ରାମ ଓଜନର ଇସ୍ପାତ ଆବରଣ ଭିତରେ ଥିବା ଏହି ବୋମାରେ ୮୦ କିଲୋଗ୍ରାମ ବିସ୍ଫୋରକ ରହିଥାଏ। ବାୟୁସେନାର ଏୟାରଷ୍ଟ୍ରାଇକରେ ଅଭୂତପୂର୍ବ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ପାକିସ୍ତାନ ଏହାକୁ ସ୍ବୀକାର କରି ନ ଥିଲା।

Share