୧୦୧୨ ଟ୍ରେନ୍‌ରେ ପରିବହନ ହୋଇଛି ଅତ୍ୟାବଶ୍ୟକ ସାମଗ୍ରୀ: ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ପୂର୍ବତଟ ରେଳପଥ

ଭୁବନେଶ୍ୱର, ୩୦ା୩ (ବ୍ୟୁରୋ) – କରୋନା ଭାଇରସ୍‌ (କୋଭିଡ୍‌-୧୯) ସଂକ୍ରମଣ ରୋକିବାକୁ ସାରା ଦେଶ ଏବେ ୨୧ଦିନ ପାଇଁ ଲକ୍‌ଡାଉନ୍‌। ଏଭଳିସ୍ଥଳେ ଦେଖାଦେଇଥିବା ଖାଦ୍ୟାଭାବ ସମସ୍ୟାକୁ ଦୂର କରିବା ପାଇଁ ରେଳ ମନ୍ତ୍ରଣାଳୟ ପଦକ୍ଷେପ ନେଇଥିବାବେଳେ ପୂର୍ବତଟ ରେଳପଥ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଗତ ୮ଦିନ ମଧ୍ୟରେ ଅର୍ଥାତ୍‌ ଲକ୍‌ଡାଉନ୍‌ର ପ୍ରଥମ ଦିନ ୨୨ ତାରିଖରୁ ୨୯ ପର୍ଯ୍ୟନ୍ତ ମୋଟ ୧୦୧୨ ମାଲ୍‌ବାହୀ ଟ୍ରେନ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ହୋଇଛି। ଏଥିମଧ୍ୟରେ ୬୪୯ ଟ୍ରେନ୍‌ କୋଇଲା, ୮ ଟ୍ରେନ୍‌ ଚାଉଳ, ୨୩ ଟ୍ରେନ୍‌ ପେଟ୍ରୋଲିୟମ୍‌ ଉତ୍ପାଦ, ୭ ଟ୍ରେନ୍‌ ସାର ଓ ୩୨୫ ଟ୍ରେନ୍‌ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ନିୟୋଜିତ ଥିବା ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ବିଭିନ୍ନ ଖାଦ୍ୟ ଶସ୍ୟ, ପେଟ୍ରୋଲିୟମ୍‌ ଉତ୍ପାଦ, କୋଇଲା, ଫଳ, ପରିବା, ଦୁଗ୍ଧ, ଜାଳେଣି ତେଲ, ଚିନି ଓ ଲୁଣ ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି। ପୂର୍ବତଟ ରେଳପଥ ବିଭିନ୍ନ ଶକ୍ତି ଉପତ୍ାଦନ କେନ୍ଦ୍ରକୁ କୋଇଲାଯୋଗାଣ ନିୟମିତ ଭାବେ ଜାରି ରଖିଛି। ପୂର୍ବତଟ ରେଳପଥ ପରିସୀମାରୁ ଦେଶର ବିଭିନ୍ନ ସ୍ଥାନକୁ ବିଶେଷକରି ଦକ୍ଷିଣ ଭାରତକୁ ଚାଉଳ ଯୋଗାଣ କରାଯାଉଛି। ହୀରାକୁଦ, ବଲାଙ୍ଗୀର, ବରଗଡ଼ ଓ ଡୁଙ୍ଗୁରିପାଲି ଷ୍ଟେଶନରୁ ଚାଉଳ ଟ୍ରେନ୍‌ରେ ସରେଇ, କଟିହାର, ଟାଟା, କରଯୋରିଗ୍ରାମ, ଟତସିଲ୍‌ୱାଇ, ନାମ୍‌କୋନ, ଜସିଡିହି, ମଧୁପୁର ଓ ଦୁମ୍‌କା ଆଦି ସ୍ଥାନକୁ ଯାଉଛି। ପୂର୍ବତଟ ରେଳପଥ ପରିସୀମାରୁ ୨୮ ତାରିଖ ମଧ୍ୟରେ ୬ଟି ଟ୍ରେନ୍‌ରେ ବିଭିନ୍ନ ସ୍ଥାନକୁ ଚାଉଳ ପହଞ୍ଚାଯାଇଛି। ସେହିପରି ବିଭିନ୍ନ ଶକ୍ତି ଉତ୍ପାଦନ ସ୍ଥଳକୁ ତାଳଚେର, ପାରାଦୀପ, ବିଶାଖାପାଟଣା ଓ ଧାମରାରୁ କୋଇଲା ପରିବହନ କରାଯାଉଛି। ଏହାବ୍ୟତୀତ ବିଭିନ୍ନ ସ୍ଥାନକୁ ଧାନ, ଚିନି, ଜାଳେଣି ତେଲ, ଦୁଗ୍‌ଧଜାତ ଦ୍ରବ୍ୟ ଆଦି ଖାଦ୍ୟଶସ୍ୟ ପହଞ୍ଚାଯାଇଛି।
ଲୋକୋ ପାଇଲଟ, ସହକାରୀ ଲୋକୋ ପାଇଲଟ, ଗାର୍ଡ, ଷ୍ଟେଶନ ମାଷ୍ଟର, ଟୋକନ ପୋର୍ଟର, ଗୁଡ୍‌ସ କ୍ଲର୍କଙ୍କ ସମେତ ସିଗ୍‌ନାଲ, ବିଦ୍ୟୁତ୍‌, ଯାନ୍ତ୍ରିକ, ଇଞ୍ଜିନିୟରିଂ, ସୁରକ୍ଷା ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଏହି ସଫଳତା ମିଳିଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମାଲ୍‌ ବୋଝେଇଠାରୁ ଆରମ୍ଭ କରି ଖଲାସ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଶ୍ରମିକ ଓ କର୍ମଚାରୀମାନେ ସାମାଜିକ ଦୂରତ୍ୱକୁ ନିଶ୍ଚିତ କରିଥିବା ସୂଚନା ଦିଆଯାଇଛି।

Share