ଯାଜପୁର ଅଫିସ,୩ା୩:କଳିଙ୍ଗନଗରଠାରେ ଥିବା ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାର ଘରୋଇକରଣ ପ୍ରତିବାଦରେ ନିଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ କାରଖାନା ସମ୍ମୁଖରେ ଗଣଧାରଣା ସୋମବାର ୫୧ ଦିନରେ ପହଞ୍ଚିଛି। ଇତିମଧ୍ୟରେ ସରକାର, ଜିଲା ପ୍ରଶାସନ କିମ୍ବା ନିଳାଚଳ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ବୈଠକ କିମ୍ବା ଆଲୋଚନା ହୋଇନାହିଁ। ଅଥଚ ସୋମବାର କାମ ନାହିଁ ତ ଦରମା ନାହିଁ ନୀତିରେ କାରଖାନାରେ ଦୀର୍ଘ ୧୮ ବର୍ଷ ଧରି କାମ କରି ଆସୁଥିବା ସୋମବାର ୧୦୨ ଜଣ ଠିକା ଶ୍ରମିକଙ୍କୁ ଛଟେଇ କରାଯାଇଛି। ଏନେଇ ଅସନ୍ତୋଷ କର୍ମଚାରୀମାନେ ଧାରଣାରେ ସାମିଲ ହୋଇ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି। ଛଟେଇ ଠିକା ଶ୍ରମିକମାନେ ତାଙ୍କ ଗେଟପାସକୁ ନବୀକରଣ କରିବାକୁ ଦାବି କରି ନିୟମିତ ଭାବେ ଧାରଣାରେ ସାମିଲ ହୋଇ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ପ୍ରକାଶ କରିଛନ୍ତି। ମଞ୍ଚର ଆବାହକ ରଞ୍ଜନ ନାୟକ, ବିସ୍ଥାପିତ କମିଟୀର ବାବୁଲି ପୂର୍ତ୍ତି, ମହିରାମ ପୂର୍ତ୍ତି, ରାଜକିଶୋର ମହାନ୍ତ, ମନୋରଞ୍ଜନ ମହାନ୍ତ ଏବଂ ଛଟେଇ କର୍ମଚାରୀଙ୍କ ମଧ୍ୟରୁ ଭାବଗ୍ରାହୀ ଦ୍ୱିବେଦୀ, ବାବୁଲି ବାରିକ, ସୁମନ୍ତ ନାଥ, ପଦ୍ମନାଭ ନାୟକ, ଏମ. ଜେନା, ରାଜେନ୍ଦ୍ର ବେହେରା, ନରେନ୍ଦ୍ର ଦାସ, ବିଜୟ ବେହେରା, ନରେନ୍ଦ୍ର ଜେନା, ଯୋଗେନ ମୁଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଆଗାମୀ ଦିନରେ ଦାବିଗୁଡିକର ସମାଧାନ ନ ହେଲେ ବିଧାନସଭା ଓ ଲୋକଲଭା ଘେରାଓ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।