୧୦୪ନଂରୁ ନିର୍ଦ୍ଦେଶ ନ ଆସିବା ଯାଏ ଘରର ସୀମାରେଖା ଡିଅଁନ୍ତୁ ନାହିଁ, ହୁଅନ୍ତୁ ନାହିଁ ‘ସୁପର୍‌ ସ୍ପ୍ରେଡର ବା ରୋଗୀ ନଂ-୩୧’: ବାଗ୍‌ଚୀ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ଘାତକ କରୋନା ସଂକ୍ରମଣ ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଏକଦା ଦକ୍ଷିଣ କୋରିଆରେ ସଂକ୍ରମିତଙ୍କ ସଂଖ୍ୟା ସ୍ଥିର ଭାବେ ଚାଲୁଥିବା ବେଳେ ହଠାତ୍‌ ଜଣେ ୬୧ ବର୍ଷ ବୟସ୍କା ମହିଳା ଏହାକୁ ବଦଳାଇଥିଲେ। ଫଳରେ ସଂକ୍ରମିତଙ୍କ ସଂଖ୍ୟା ହଠାତ୍‌ ବଢ଼ିଯାଇଥିଲା। କାରଣ ମହିଳା ତଥା ରୋଗୀ ନଂ-୩୧ଜଣଙ୍କ ୧୧୬୦ଜଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଫଳରେ ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବଢ଼ି ଚାଲିଥିଲା। ତାଙ୍କୁ ‘ସୁପର ସ୍ପେଡର୍‌’ କୁହାଯାଇଥିଲା। ଏବେ ରାଜ୍ୟରେ ୩ୟ କରୋନା ରୋଗୀ ୩ଟି ହସ୍‌ପିଟାଲ ବୁଲି ଯାଇଛନ୍ତି। ଫଳରେ ତାଙ୍କ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଦେଖିବାକୁ ଗଲେ ଜଣେ ସଂକ୍ରମିତ ବ୍ୟକ୍ତି ପାଖାପାଖି ୨.୨୪ରୁ ୩.୫୮ଜଣଙ୍କୁ ସଂକ୍ରମିତ କରିବାର ଆଶଙ୍କା ଥାଏ। ଏହି ଚେନ୍‌ ଆଗକୁ ଆଗକୁ ଚାଲିଥାଏ। ଏଣୁ ନିଜ ଦାୟିତ୍ୱ ଜ୍ଞାନ ରଖନ୍ତୁ। ଏହାକୁ ବୁଝନ୍ତୁ। କରୋନା ସହ ଲଢ଼ିବା ଯୁଦ୍ଧ ସହ ସମାନ। ଯେପର୍ଯ୍ୟନ୍ତ ୧୦୪ ନଂରୁ ନିର୍ଦ୍ଦେଶ ନ ଆସିଛି ସେପର୍ଯ୍ୟନ୍ତ ଘରର ସୀମାରେଖା ଡେଇଁ ଯିବା ଉଚିତ ନୁହେଁ। ଯେଉଁଠି ଅଛନ୍ତି ସେଇଠି ରହିବାକୁ ପଡ଼ିବ। ମନଇଚ୍ଛା ଡେଇଁ ଯାଆନ୍ତୁ ନାହିଁ। ଦକ୍ଷିଣ କୋରିଆର ରୋଗୀ ନଂ-୩୧ ହୁଅନ୍ତୁ ନାହିଁ ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

Share