Categories: ବାଣିଜ୍ୟ

୧୦୫୦ କୋଟିରେ ବିଗ୍‌ ଏଫ୍‌ଏମ୍‌କୁ ବିକିବେ ଅନିଲ ଅମ୍ବାନୀ

ମୁମ୍ବାଇ,୨୮-୫: ଋଣରେ ବୁଡ଼ି ରହିଥିବା ଉଦ୍ୟୋଗପତି ଅନିଲ ଅମ୍ବାନୀ ବିଗ ଏଫ୍‌ଏମ୍‌ ଚଳାଉଥିବା ରିଲାଏନ୍ସ ବ୍ରଡ୍‌କାଷ୍ଟ ନେଟ୍‌ଓ୍ବର୍କ(ଆର୍‌ବିଏନ୍‌)କୁ ବିକ୍ରି କରିଦେବେ। ପ୍ରାୟ ୧୦୫୦ କୋଟି ଟଙ୍କାରେ ଜାଗରଣ ପ୍ରକାଶନ ସଂସ୍ଥା ଏହାକୁ କିଣିବ ବୋଲି ଜଣାପଡିଛି। ଏ ସମ୍ପର୍କରେ ଦିନେ ଦୁଇଦିନ ଭିତରେ ଘୋଷଣା କରାଯିବ। ସରକାରଙ୍କଠାରୁ ଅନୁମତି ମିଳିବାରେ ବିଳମ୍ବ କାରଣରୁ ଜୀ ଗ୍ରୁପ୍‌ ସହ ଅନିଲଙ୍କ ଡିଲ୍‌ ବିଫଳ ହୋଇଥିଲା। ତେବେ ହିନ୍ଦୀ ଖବର କାଗଜ ପ୍ରକାଶ କରୁଥିବା ଜାଗରଣ ପ୍ରକାଶନ ସଂସ୍ଥା ସହ ତାଙ୍କର ଆଲୋଚନା ଶେଷ ହୋଇଛି। ସୂଚନାଥାଉ କି, ଅତି ଗୁରୁତ୍ୱପୂର୍ଣ୍ଣ ନୁହେଁ ଏଭଳି ବ୍ୟବସାୟକୁ ବନ୍ଦ କରିଦେବା ଲାଗି ଅନିଲ ଏବେ ନିଷ୍ପତ୍ତି ନେଇଛନ୍ତି। ଏଗୁଡ଼ିକୁ ବିକ୍ରି କରି ସେ ପ୍ରାୟ ୧୨୦୦୦ କୋଟି ଟଙ୍କା ଯୋଗାଡ କରିବାକୁ ପ୍ରୟାସ କରୁଛନ୍ତି। ରିଲାଏନ୍ସ ମ୍ୟୁଚୁଆଲ ଫଣ୍ଡ୍‌ରେ ଥିବା ରିଲାଏନ୍ସ କ୍ୟାପିଟାଲର ଅଂଶଧନକୁ ୬ ହଜାର କୋଟି ଟଙ୍କାରେ ଜାପାନର ଜୀବନ ବୀମା କମ୍ପାନୀ ନିପ୍ପନ ଲାଇଫ୍‌କୁ ବିକ୍ରି କରାଯିବ। ଏନେଇ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଜାଗରଣ ପ୍ରକାଶନ ବୋର୍ଡରୁ ଅନୁମତି ମିଳିବା ପରେ ବିଗ୍‌ ଏଫ୍‌ଏମ୍‌କୁ କିଣିବା ନେଇ ଚୁକ୍ତି ହେବ ବୋଲି ଜାଗରନର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି।

Share