୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଲେ ଭାଗୀରଥି ଆମ୍ମା

ଥିରୁଭାନନ୍ତପୁରମ୍‌,୨୦।୧୧: ୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇଛନ୍ତି ଭାଗୀରଥି ଆମ୍ମା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କେରଳରେ ଘଟିଛି ଏଭଳି ନିଆରା ଘଟଣା। କେରଳ ରାଜ୍ୟ ସାକ୍ଷରତା ମିଶନର ପ୍ରୟାସରେ ଏଭଳି ବିରଳ କାର୍ଯ୍ୟ ସମ୍ଭବ ହୋଇପାରିଛି। ମଙ୍ଗଳବାର ଭାଗୀରଥି ଆମ୍ମା ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେବାକୁ ଆସିଥିବାବେଳେ ତାଙ୍କୁ ସ୍କୁଲ ପକ୍ଷରୁ ସମ୍ମାନୀତ କରାଯାଇ ପ୍ରଶ୍ନପତ୍ର ଦିଆଯାଇଥିଲା। ସୂଚନାଯୋଗ୍ୟ, ପିଲାବେଳୁ ଭାଗୀରଥି ଆମ୍ମାଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା। କମ୍‌ ବୟସରେ ମା’ଙ୍କ ମୃତ୍ୟୁ ହୋଇଯିବାରୁ ମାତ୍ର ୮ ବର୍ଷ ବୟସରେ ଭାଇଭଉଣୀଙ୍କ ଦାୟିତ୍ୱ ନେଇଥିଲେ ସେ। ଫଳରେ ନିଜେ ପାଠ ପଢିପାରି ନ ଥିଲେ। ବିବାହ ପରେ ମଧ୍ୟ ତାଙ୍କ ଦୁଃଖ ସରି ନ ଥିଲା। ଆଜକୁ ପ୍ରାୟ ୭୦ ବର୍ଷ ପୂର୍ବରୁ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇସାରିଛି। ସେ ସମୟରେ ୪ ଝିଅ ଏବଂ ଦୁଇ ପୁଅଙ୍କ ଦାୟିତ୍ୱ ତାଙ୍କ ଉପରେ ପଡିଥିଲା। ବହୁକଷ୍ଟରେ ୬ଟି ସନ୍ତାନଙ୍କ ଲାଳନପାଳନ କରିଥିଲେ। କିନ୍ତୁ ପାଠ ପଢା ନିଶା ଛାଡି ନ ଥିଲେ। ପିଲା ବଡ ହେବା ପରେ ସେ ପୁଣି ପାଠ ପଢିବାକୁ ମନ ବଳାଇଛନ୍ତି।

Share