Categories: ଜାତୀୟ

୧୦ କୋଟିଙ୍କ ଜୀବନ ନେବ ଆଣବିକ ଯୁଦ୍ଧ

ନୂଆଦିଲ୍ଲୀ,୩ା୧୦: ଭାରତ-ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ହେଲେ ୧୦ କୋଟି ଲୋକ ପ୍ରାଣ ହରାଇବେ। ଆଣବିକ ଅସ୍ତ୍ର ପ୍ରୟୋଗର କୁପରିଣାମ ଯୋଗୁ ପୃଥିବୀକୁ ସୂର୍ଯ୍ୟକିରଣ ପହଞ୍ଚତ୍ବାରେ ବାଧାସୃଷ୍ଟି ହେବ। ଫଳରେ ସବୁଜିମା ନଷ୍ଟ ହେବା ସହ ସାମୁଦ୍ରିକ ଉତ୍ପାଦନଶୀଳତା ମଧ୍ୟ ହ୍ରାସ ପାଇବ ବୋଲି ପରିବେଶ ସମ୍ପର୍କିତ ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି।
ୟୁନିଭର୍ସିଟି-ନ୍ୟୁ ବ୍ରୁନ୍ସଓ୍ବିକ୍‌ର ପ୍ରଖ୍ୟାତ୍‌ ପ୍ରଫେସର ଆଲନ୍‌ ରୋବୋକ୍‌ ଓ ଅନ୍ୟ ବୈଜ୍ଞାନିକଙ୍କ ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନ ଜର୍ନାଲ ସାଇନ୍ସ ଆଡ୍‌ଭାନ୍ସରେ ପ୍ରକାଶ ପାଇଛି। ୨୦୨୫ରେ ଭାରତ-ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ହେଲେ ତା’ର କୁପରିଣାମ କ’ଣ ହୋଇପାରେ ତାହା ଏଥିରେ ଦର୍ଶାଯାଇଛି। ଅଧ୍ୟୟନରେ ଉଲ୍ଲେଖ କରାଯାଇଛି ଯେ, ଦୁଇ ପଡ଼ୋଶୀ ଦେଶ ପାଖରେ ମୋଟ ୪୦୦ରୁ ୫୦୦ ଆଣବିକ ଅସ୍ତ୍ର ରହିଛି। ସେଗୁଡ଼ିକୁ ବ୍ୟବହାର କରାଗଲେ ଏହାର ପ୍ରଭାବ କେବଳ ଦକ୍ଷିଣ ଏସିଆରେ ସୀମିତ ହୋଇ ରହିବନାହିଁ, ବରଂ ବିଶ୍ୱବ୍ୟାପୀ ଅନୁଭୂତ ହେବ। ଏହା ବିଶ୍ୱ ପରିବେଶକୁ ନଷ୍ଟ କରିଦେବା ସହ ୧୦ କୋଟି ଲୋକଙ୍କ ଜୀବନ ନେବ। ପରମାଣୁ ବୋମା ଯେଉଁ ସ୍ଥାନକୁ ଟାର୍ଗେଟ କରି ନିକ୍ଷେପ କରାଯିବ ସେଠାରେ କେତେଶହ ବର୍ଷ ଧରି ଘାସ ବି ଉଠିବ ନାହିଁ। ଏହାବାଦ ବିଶ୍ୱର ଅନ୍ୟ ଅଞ୍ଚଳଗୁଡ଼ିକୁ ମଧ୍ୟ ଏହା ପ୍ରଭାବିତ କରିବ। ପ୍ରଥମରେ ଆଣବିକ ବିସ୍ଫୋରଣ ଯୋଗୁ ଧୂଆଁରେ ୧୬ରୁ ୩୬ ନିୟୁତ ଟନ୍‌ ବ୍ଲାକ୍‌ କାର୍ବନ ନିର୍ଗତ ହେବ। ଏହା ଉପରକୁ ଉଠି ସପ୍ତାହେ ମଧ୍ୟରେ ସାରା ବିଶ୍ୱକୁ ବ୍ୟାପିଯିବ। ଦ୍ୱିତୀୟତଃ ସୌର ବିକିରଣକୁ ମଧ୍ୟ ଏହି ଧୂଆ ଶୋଷିନେବ। ଫଳରେ ବାୟୁ ମଧ୍ୟ ଶୁଷ୍କ ହୋଇଯିବ। ପୃଥିବୀକୁ ସୂର୍ଯ୍ୟକିରଣ ପହଞ୍ଚତ୍ବା ୨୦ରୁ ୩୫% ହ୍ରାସ ପାଇବ। ଏଥିଯୋଗୁ ପୃଥିବୀର ତାପମାତ୍ରା ୨ରୁ ୫ ଡିଗ୍ରୀ କମିଯିବ। ପୃଥିବୀର ୧୫ରୁ ୩୦% ସବୁଜିମା ନଷ୍ଟ ହେବା ସହ ସାମୁଦ୍ରିକ ଉତ୍ପାଦନଶୀଳତା ୫ରୁ ୧୫% ହ୍ରାସ ପାଇବ। ଏହି ପ୍ରଭାବରୁ ମୁକ୍ତ ହେବା ପାଇଁ ବିଶ୍ୱକୁ ଅନୂ୍ୟନ ୧୦ ବର୍ଷ ଲାଗିବ ବୋଲି ଏଥିରେ ଦର୍ଶାଯାଇଛି।
୩୭୦କୁ ହଟାଯିବା ପରେ ଭାରତ-ପାକିସ୍ତାନ ମୁହଁାମୁହିଁ ହୋଇଛନ୍ତି। ଏଥିଯୋଗୁ ଭାରତକୁ ପାକିସ୍ତାନ ଏକାଧିକ ଥର ଆଣବିକ ଅସ୍ତ୍ର ପ୍ରୟୋଗ ଓ ଯୁଦ୍ଧ ଧମକ ଦେଇସାରିଲାଣି। ବର୍ତ୍ତମାନ ୯ଟି ଦେଶ ପାଖରେ ଆଣବିକ ଅସ୍ତ୍ର ରହିଛି। କିନ୍ତୁ ଦ୍ରୁତଗତିରେ ଆଣବିକ ଯୁଦ୍ଧାସ୍ତ୍ର ବୃଦ୍ଧି କରୁଥିବା ଦେଶ ହେଉଛନ୍ତି ଭାରତ ଓ ପାକିସ୍ତାନ। ୧୯୪୫ରେ ଜାପାନର ହିରୋଶିମାରେ ଆମେରିକା ପରମାଣୁ ବୋମା ପକାଇଥିଲା, ଯାହାର ଆକାର ଥିଲା ପ୍ରାୟ ୧୫ କିଲୋଟନ। ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ଏହାର ଭୟାବହତା ହିରୋଶିମାର କ୍ଷୟକ୍ଷତିକୁ ଟପିଯିବ ବୋଲି କୁହାଯାଉଛି। ତେଣୁ ଏଭଳି ଯୁଦ୍ଧର ବିପର୍ଯ୍ୟୟକୁ ଏଡ଼ାଇବା ଲାଗି ସମ୍ପୂର୍ଣ୍ଣ ବିଶ୍ୱର ନିରସ୍ତ୍ରୀକରଣ ଜରୁରୀ ବୋଲି ରୋବୋକ୍‌ ପରାମର୍ଶ ଦେଇଛନ୍ତି।

Share