Categories: ବାଣିଜ୍ୟ

୧୦ କୋଟିର ଅନୀୟମିତତା ଧରିଲା ପେଟିଏମ୍‌

ନୂଆଦିଲ୍ଲୀ,୧୪-୫: ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମ୍‌ରେ ୧୦ କୋଟି ଟଙ୍କାର ଅନୀୟମିତତା ହୋଇଥିବା ଜଣାପଡିଛି। କମ୍ପାନୀର ଆଭ୍ୟନ୍ତରୀଣ ଯାଞ୍ଚରୁ ଏହା ଧରାପଡିଛି ବୋଲି ପେଟିଏମ୍‌ର ପ୍ରମୁଖ ବିଜୟ ଶେଖର ଶର୍ମା ମଙ୍ଗଳବାର କହିଛନ୍ତି। ଏହା ଜଣାପଡିବା ପରେ କମ୍ପାନୀ ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କୁ ବରଖାସ୍ତ କରିଥିବା ବେଳେ ବହୁ ସଂଖ୍ୟାରେ ବିକ୍ରେତାଙ୍କୁ ନିଜର ପ୍ଲାଟଫର୍ମରୁ ହଟାଇ ଦେଇଛି ବୋଲି ସେ କହିଛନ୍ତି। ଦୋଷୀ କର୍ମଚାରୀମାନେ ବିକ୍ରେତାଙ୍କ ସହ ମିଶି ଜାଲିଆତିରେ ସାମିଲ ଥିଲେ ବୋଲି କମ୍ପାନୀ ମୁଖ୍ୟ କହିଛନ୍ତି। ଦୀପାବଳି ପରେ କ୍ଷୁଦ୍ର ବିକ୍ରେତାଙ୍କୁ ଭାରିମାତ୍ରାରେ କ୍ୟାଶ୍‌ବ୍ୟାକ୍‌ ଦିଆଯାଉଥିବାର ଅଚାନକ ଜଣାପଡିଥିଲା। ଏହାପରେ ଅଡିଟରଙ୍କୁ ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ବିଜୟ ଶେଖର କହିଛନ୍ତି। କେତେକ ଜୁନିୟର କର୍ମଚାରୀ କ୍ଷୁଦ୍ର ବିକ୍ରେତାଙ୍କ ସହ ମିଶି ଜାଲ୍‌ ଅର୍ଡର ଜରିଆରେ କ୍ୟାଶ୍‌ବ୍ୟାକରେ ଜାଲିଆତି କରୁଥିଲେ ବୋଲି ଜଣାପଡିଥିଲା। ଏହାର ପରିମାଣ ପ୍ରାୟ ୧୦ କୋଟି ଟଙ୍କା ହେବ। ଜାଲିଆତିର ପର୍ଦ୍ଦାଫାଶ ପରେ ଦୋଷୀ କର୍ମଚାରୀଙ୍କୁ କମ୍ପାନୀରୁ ବିଦା କରିଦିଆଯାଇଛି ବୋଲି ସେ କହିଛନ୍ତି। ତାଙ୍କର କହିବାନୁଯାୟୀ, ପ୍ଲାଟଫର୍ମରେ ବ୍ରିକ୍ରେତାଙ୍କ ସଂଖ୍ୟା କମିଲେ ମଧ୍ୟ କମ୍ପାନୀର ପ୍ରଦର୍ଶନ ଭଲ ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Share