୧୦ ଖଣି ନିଲାମ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ଟି ଖଣି ନିଲାମ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ୫ ଲୁହାପଥର, ୨ ମାଙ୍ଗାନିଜ୍‌ ଏବଂ ୩ଟି ଲୁହାପଥର ଓ ମାଙ୍ଗାନିଜ୍‌ ଖଣି ରହିଛି। ସେହି ଖଣିଗୁଡ଼ିକ ହେଲା ଗୋରୁମହିଷାଣୀ, ବାଦାମପାହାଡ଼, ଜାଜଙ୍ଗ, ନାଦିଦିହି, (ବିଆଇସିଓ) ଏବଂ ବଲଦାର ଲୁହାପଥର ଖଣି । ସେହିପରି କାଠସାହି ଏବଂ କାନ୍ଥେର କୋଇରା ମାଙ୍ଗାନିଜ୍‌ ଖଣିକୁ ମଧ୍ୟ ନିଲାମ କରାଯିବ। ନାଦିଦିହି(ଫ୍ରିଗେଡ୍‌), ତେହେରାଇ ଏବଂ କୋଲମଙ୍ଗରେ ଥିବା ଲୁହାପଥର ଓ ମାଙ୍ଗାନିଜ୍‌ ଖଣି ନିଲାମ କରାଯିବ। ପ୍ରତ୍ୟେକ ଟେଣ୍ଡର ଫି’ ୫ ଲକ୍ଷ ରଖାଯାଇଛି। ୱେବ୍‌ସାଇଡ୍‌ ଜରିଆରେ ଇ-ଅକ୍ସନ ପ୍ରକ୍ରିୟାରେ ହେବାକୁ ଥିବା ଟେଣ୍ଡର କ୍ରୟର ଶେଷ ତାରିଖ ନଭେମ୍ବର ୨୨ ଯାଏ ରଖାଯାଇଛି। ସେହିପରି ନିଲାମୀ ସମ୍ପର୍କିତ ବିଡ୍‌ ଦାଖଲ(ପ୍ରକ୍ରିୟା) ନଭେମ୍ବର ୨୮ ପର୍ଯ୍ୟନ୍ତ ରହିଛି। କେନ୍ଦ୍ର ସରକାର ୨୦୧୫ରେ ଖଣି ଆଇନକୁ ସଂଶୋଧନ କରି ସମସ୍ତ ଖଣିକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ୩୨୯ ଖଣିର ଲିଜ୍‌ ଅବଧି ଶେଷ ହେଉଛି। ଏହି ସମୟ ମଧ୍ୟରେ ଓଡ଼ିଶାର ୨୪ଟି ଖଣିର ଅବଧି ମଧ୍ୟ ଶେଷ ହେବ।

Share