୧୦ ଦିନ ତଳୁ ଆସିଛି ବଦଳି ଚିଠି, ଛୁଟି ଦିନରେ ପ୍ରଘଟ:ବଦଳିବେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ

ଅନୁଗୋଳ ଅଫିସ, ୩।୯

ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନାଙ୍କ ବଦଳି ହୋଇଛି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ନଂ ୧୫୨୬୪/୨୨.୮.୨୦୧୯ରେ ଏହି ବଦଳି ନିର୍ଦ୍ଦେଶ ଦିଆଯାଇଥିବା ସୋମବାର ଜଣାପଡ଼ିଛି। ତେବେ ୧୦ ଦିନ ତଳୁ ଏହି ଚିଠି କରାଯାଇଥିଲେ ବି ଆଜି ଯାଏ ଏହା କେଉଁଠି ଥିଲା ତାହା ଚର୍ଚ୍ଚାର ବିଷୟ ହୋଇଛି।
ଅନୁଗୋଳ ପୌରପାଳିକା ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନାଙ୍କୁ ବଦଳି ପାଇଁ ଫେବୃୟାରୀ ୧୧ରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିଥିଲା। ତାଙ୍କୁ ଯାଜପୁର ଜିଲା ବ୍ୟାସନଗର ପୌରପାଳିକାକୁ ବଦଳି କରାଯାଇଥିଲା। ହେଲେ ଜେନା ଫେବୃୟାରୀ ୧୩ରେ ହାଇକୋର୍ଟରେ ଷ୍ଟେ ଆବେଦନ କରିଥିଲେ। ମାତ୍ର ୬ ମାସ ହେବ ଅନୁଗୋଳ ଆସିଥିବା କହି ଷ୍ଟେ ଅର୍ଡର ଆଣିଥିଲେ। କିନ୍ତୁ ଅଗଷ୍ଟ ୨୨ରେ ତାଙ୍କ ଷ୍ଟେ ଆବେଦନକୁ ଅଦାଲତ ଖାରଜ କରି ଦେବା ସହ ବଦଳି ସ୍ଥାନରେ ତୁରନ୍ତ ଯୋଗ ଦେବାକୁ ଚିଠିରେ ନିର୍ଦ୍ଦେଶ ରହିଥିବା ଉଲ୍ଲେଖ କରାଯାଇଛି। ୧୦ ଦିନ ପୂର୍ବରୁ ଆସିଥିବା ଏହି ଚିଠି ସମ୍ପର୍କରେ ପୌର କାର୍ଯ୍ୟାଳୟର ଅଧିକାରୀ କିମ୍ବା ଜିଲାପାଳ କୌଣସି ସୂଚନା ପାଇ ନ ଥିଲେ। ସୋମବାର ଏହି ଚିଠି ପ୍ରଘଟ ହୋଇଛି। ତୁରନ୍ତ ବ୍ୟାସନଗର ଯାଇ କାର୍ଯ୍ୟରେ ଯୋଗଦେବାକୁ ଚିଠିରେ ଜେନାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଅନୁଗୋଳ ପୌରପାଳିକାରେ ଥିବା ଯନ୍ତ୍ରୀ ସୀମାଞ୍ଚଳ ମିଶ୍ରଙ୍କ ବଦଳି ପାଇଁ ଜିଲାପାଳ ରାଜ୍ୟ ସରକାରଙ୍କୁ ସୁପାରିସ କରଥିବାରୁ କେଉଁ ମୂହୁର୍ତ୍ତରେ ତାଙ୍କର ମଧ୍ୟ ବଦଳି ହୋଇଯାଇପାରେ। ଏ ସମ୍ପର୍କରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ମତାମତ ମିଳିପାରି ନାହିଁ। ତେବେ ପୌରନିର୍ବାହୀ ଅଧିକାରୀ ଜେନା କହିଛନ୍ତି, ଚିଠି ସମ୍ପର୍କରେ କିଛି ଜାଣିନାହିଁ। ବଦଳି ହୋଇଥିଲେ ନିଶ୍ଚିତ ଯିବି। ଛୁଟି ଥିବାରୁ ମୋ ନିକଟକୁ କୌଣସି ବଦଳି ନିର୍ଦ୍ଦେଶ ଆସି ନ ଥିବା ସେ କହିଛନ୍ତି।