ବିଶ୍ୱତାପନ ବଢ଼ିବା ଯୋଗୁ ୧୦ ବର୍ଷରେ ବିସ୍ଥାପିତ ହୋଇଛନ୍ତି ୨ କୋଟି ୨୦ ଲକ୍ଷ

ମାଦ୍ରିଦ୍‌,୪।୧୨: ଗତ ୧୦ ବର୍ଷରେ ବିଶ୍ୱତାପନ ୧.୧ ଡିଗ୍ରୀ ସେଲସିୟସ୍‌ ବଢ଼ିଛି। ଏହା ଯୋଗୁ ୨ କୋଟି ୨୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଏସମ୍ପର୍କରେ ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନ ପକ୍ଷରୁ ଏକ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରକାଶ ପାଇଛି। ୨୦୧୦ଠାରୁ ୨୦୧୯ ମଧ୍ୟରେ ଏଭଳି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଗତ ୪୦ ବର୍ଷ ମଧ୍ୟରେ ଲଗାତାର ପ୍ରତିବର୍ଷ ବିଶ୍ୱତାପନ ପୂର୍ବବର୍ଷ ତୁଳନାରେ ବଢ଼ିବାରେ ଲାଗିଛି। ତେଣୁ ପ୍ରତିବର୍ଷ କାର୍ବନ ନିର୍ଗମନ ୭.୬ ପ୍ରତିଶତ କମାଗଲେ ଆଗାମୀ ଦିନରେ ହେବାକୁ ଥିବା ସଙ୍କଟ ଜନକ ସ୍ଥିତିରୁ ନିସ୍ତାର ପାଇହେବ। ନଚେତ୍‌ ୨୦୩୦ ସୁଦ୍ଧା ବିଶ୍ୱତାପନ ୧.୫ ଡିଗ୍ରୀ ବଢ଼ିଯିବ ବୋଲି ରିପୋର୍ଟରେ କୁହାଯାଇଛି। ବିଶ୍ୱତାପନ ବୃଦ୍ଧି ପାଇବା ଯୋଗୁ ସମୁଦ୍ରଜଳରେ ଥିବା ଲବଣ ପରିମାଣ ମଧ୍ୟ ବଢ଼ିଛି। ଗତ ୧୫୦ବର୍ଷ ତୁଳନାରେ ଏହା ୨୬% ବଢ଼ିଯାଇଛି। ବିଶ୍ୱତାପନ ଯୋଗୁ ଲଗାତାର ଲୁ ପ୍ରବାହ, ବନ୍ୟା, ମରୁଡ଼ି ଏବଂ ସାମୁଦ୍ରିକ ଝଡ଼ ଆଦି ସମସ୍ୟା ବଢ଼ିବାରେ ଲାଗିଛି। ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନ ପକ୍ଷରୁ ୨୦୧୫ରେ ରେକର୍ଡ କରାଯାଇଥିବା ସର୍ବୋଚ୍ଚ ତାପମାତ୍ରା ୨୦୨୦ରେ ଭାଙ୍ଗିଯିବ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବରେ ଜଳବାୟୁ ପରିବର୍ତ୍ତନ ହୋଇଛି। ଫଳରେ ଭାରତରେ ମୌସୁମୀର ଆଗମନରେ ବିଳମ୍ବ ଘଟିଥିବା ରିପୋର୍ଟରେ କୁହାଯାଇଛି।

Share