Categories: ଜାତୀୟ

୧୦ ବର୍ଷ ତଳର କାହାଣୀ: ୨୦୧୦ ଜୁଲାଇ ୨୫ ବନାମ ୨୦୧୯ ଅଗଷ୍ଟ ୨୧; ସେତେବେଳେ ଶାହ ହୋଇଥିଲେ ଗିରଫ; ଏବେ ଚିଦାମ୍ବରମ୍‌ଙ୍କ ଉପରେ ଖଣ୍ଡା

ନୂଆଦିଲ୍ଲୀ,୨୧।୮: ସମ୍ପ୍ରତି ଭାଜପା ସରକାରରେ କଂଗ୍ରେସର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ଅର୍ଥ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ମାମଲା ନେଇ ଦେଶର ରାଜନୈତିକ ସ୍ଥିତି ବେଶ୍‌ ସରଗରମ୍‌ ରହିଛି। ଇଡ଼ି ଏବଂ ସିବିଆଇ ପକ୍ଷରୁ ଚିଦାମ୍ବରମ୍‌ଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ ପାଇଁ ଯୋଜନା କରାଯାଇଛି। ଚିଦାମ୍ବରମ୍‌ ଉପରେ ଦୁର୍ନୀତି ଅଭିଯୋଗ ଆସିଛି। ଏଭଳି ସମାନ ଘଟଣା ୨୦୧୦ ଜୁଲାଇ ୨୫ରେ ଘଟିଥିଲା। ସେତେବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଥିଲେ ଚିଦାମ୍ବରମ୍‌। ସୋହରାବୁଦ୍ଦିନ୍‌ ଶେଖ୍‌ ଏନକାଉଣ୍ଟର ମାମଲାରେ ସିବିଆଇ ପକ୍ଷରୁ ବର୍ତ୍ତମାନର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଗିରଫ କରାଯାଇଥିଲା। ଶାହଙ୍କୁ ୩ ମାସ ଜେଲ୍‌ ପଠାଯାଇଥିଲା। ତାଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଗୁଜରାଟରୁ ବାହାରେ ରହିବାର ନିର୍ଦ୍ଦେଶ ଦିଆଯାଇଥିଲା। ୨୦୧୦ ଅକ୍ଟୋବର ୨୯ରେ ଗୁଜରାଟ ହାଇକୋର୍ଟ ଶାହଙ୍କ ଜାମିନ୍‌ ମଞ୍ଜୁର କରିଥିଲେ। ୨୦୧୨ ପର୍ଯ୍ୟନ୍ତ ଶାହ ଗୁଜରାଟ ବାହାରେ ରହିଥିଲେ। ୨୦୧୨ରେ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ସୁପ୍ରିମ୍‌କୋର୍ଟ ଶାହଙ୍କୁ ରାଜ୍ୟକୁ ଯିବାର ଅନୁମତି ଦେଇଥିଲେ। ଏହାପରେ ୨୦୧୫ରେ ସିବିଆଇର ସ୍ବତନ୍ତ୍ର କୋର୍ଟ ଶାହଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଥିଲେ। ଚିଦାମ୍ବରମ୍‌ ୨୦୦୮ ନଭେମ୍ବର ୨୯ରୁ ୨୦୧୨ ଜୁଲାଇ ୩୧ ପର୍ଯ୍ୟନ୍ତ ସ୍ବରାଷ୍ଟ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତେବେ ବର୍ତ୍ତମାନ ଶାହଙ୍କ ପରି ଚିଦାମ୍ବରମ୍‌ଙ୍କ ଅବସ୍ଥା ହୋଇଛି। ଦୀର୍ଘ ୧୦ ବର୍ଷ ପରେ ସମୟର ଚକ ଘୁରିଛି। ୨୦୧୯ ଅଗଷ୍ଟ ୨୧ରେ ସେହି ପୁରାତନ ସ୍ଥିତି ଫେରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Share