୧୦ ବର୍ଷ ପରେ ହଜିଲା ପୁଅଙ୍କୁ ପାଇଲେ ମା’

କୋଦଳା,୩୦ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିିଗପହଣ୍ଡି ଥାନା ଅନ୍ତର୍ଗତ ତୁରୁବୁଡି ଗ୍ରାମର ଜଣେ ଦିବ୍ୟାଙ୍ଗ ନାବାଳକ ୧୦ବର୍ଷ ତଳେ କେଉଁଆଡ଼େ ଚାଲିଯାଇଥିଲେ। ଗତ ଶୁକ୍ରବାର ହଜିଲା ପୁଅ ତାଙ୍କ ମା’ଙ୍କ ପାଖକୁ ଫେରିଛନ୍ତି। ନାବାଳକ ଜଣକ ହେଲେ ଶେଖ ବାବା ଓରଫ କାଳିଆ (୧୭)। କଥା କହିପାରୁ ନ ଥିବା ଶେଖ ବାବା ୭ ବର୍ଷର ହୋଇଥିବା ବେଳେ କୌଣସି ପ୍ରକାରେ ପରିବାର ଲୋକଙ୍କଠାରୁ ଅଲଗା ହୋଇଯାଇଥିଲେ। ପ୍ରାୟ ୩ ବର୍ଷ ତଳେ ବ୍ରହ୍ମପୁରରେ ସେ ଅସହାୟ ଅବସ୍ଥାରେ ବୁଲୁଥିଲେ। ତାଙ୍କୁ ଜିଲା ଶିଶୁ କଲ୍ୟାଣ କମିଟି ଉଦ୍ଧାର କରିଥିଲା। କଥା କହିପାରୁ ନଥିବାରୁ ତାଙ୍କ ନାମ କାଳିଆ ରଖି ତଦାରଖ ନିମନ୍ତେ ୨୦୧୬ ଜାନୁୟାରୀ ୨୧ ତାରିଖରେ କୋଦଳା ବାଲ ବିକାଶ ବିଶ୍ୱନାଥ ଅପାସରା ମାନସିକ ଓ ଭିନ୍ନକ୍ଷମ ବିଦ୍ୟାଳୟକୁ ଛଡା ଯାଇଥିଲା। ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ କାଳିଆଙ୍କ ହସ୍ତାକ୍ଷର ଦେଖି ସେ ମୁସଲିମ ସମ୍ପ୍ରଦାୟର ହୋଇଥାଇପାରନ୍ତି ବୋଲି ଜାଣି ସ୍ଥାନୀୟ କେତେଜଣଙ୍କ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ସହାୟତା ନେଇଥିଲେ। ଗତ ୧୫ ତାରିଖରେ କାଳିଆଙ୍କ ପରିଚୟ ମିଳିପାରି ଥିଲା। କାଳିଆ ଦିଗପହଣ୍ଡି ଥାନା ଅନ୍ତର୍ଗତ ତୁରୁବୁଡି ଗ୍ରାମର ସ୍ବର୍ଗତ ଶେଖ କମଲ ଓ ସାହାଜବୀଙ୍କ ପୁଅ ଶେଖ ବାବା ବୋଲି ଜଣାପଡିଥିଲା। ଏହାଛଡା ସ୍ଥାନୀୟ ସରପଞ୍ଚ କୁରୁ ସେଠୀ ଓ ପରିବାର ଲୋକେ ଶେଖବାବାଙ୍କ ଶରୀରରେ ଥିବା ସମସ୍ତ ଚିହ୍ନ ଓ ପିଲାଦିନ ଫଟୋକୁ ଦେଖି ତାଙ୍କୁ ଚିହ୍ନଟ କରିଥିଲେ। ଶୁକ୍ରବାର ବ୍ରହ୍ମପୁରସ୍ଥିତ ଜିଲା ଶିଶୁ କଲ୍ୟାଣ କମିଟି ମାଧ୍ୟମରେ ଶେଖବାବାଙ୍କୁ ତାଙ୍କ ମା’ ସାହାଜବୀଙ୍କୁ ହସ୍ତାନ୍ତର କରାଯାଇଥିବା କୋଦଳା ମାନସିକ ଓ ଭିନ୍ନକ୍ଷମ ବିଦ୍ୟାଳୟ ଅଧ୍ୟକ୍ଷ ଅବିରେଶ ପ୍ରସାଦ ମହାପାତ୍ର ଜଣାଇଛନ୍ତି।

Share