Categories: ଫୁରସତ

୧୦ ବର୍ଷ ହେଲା ଖରାପ ହୋଇ ନ ଥିବା ବର୍ଗର

ଆଜିକାଲି ଫାଷ୍ଟଫୁଡ୍‌ ସମସ୍ତଙ୍କୁ ପସନ୍ଦ। ହେଲେ ୧୦ ବର୍ଷ ତଳେ ପ୍ରସ୍ତୁତ ହୋଇଥିବା ବର୍ଗର ଏବେବି ଖାଇବା ଉପଯୋଗୀ ରହିଛି କହିଲେ କେହି ବିଶ୍ୱାସ କରିବା କଷ୍ଟକର। କିନ୍ତୁ ଏହା ସତ। ୟୁରୋପର ଆଇସଲ୍ୟାଣ୍ଡରେ ଏବେ ଏକ ବର୍ଗର ଓ ଫ୍ରାଇଜ୍‌ ଖାଦ୍ୟ ଉପଯୋଗୀ ଥିବା ଜଣାପଡିଛି। ଆଉ ଏବେ ଏହାକୁ ଦେଖିବାକୁ ବିଶ୍ୱରୁ ଅନେକ ଲୋକ ଆସୁଛନ୍ତି। ଅସଲ କଥା ହେଉଛି ୧୦ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୦୯ରେ ଆଇସଲ୍ୟାଣ୍ଡରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା। ଏହାକୁ ଦେଖି ମ୍ୟାକଡୋନାଲ୍ଡସ୍‌ ତା’ର ୩ଟି ଷ୍ଟୋର ବନ୍ଦ କରି ଦେଇଥିଲା। ଏଥିମଧ୍ୟରୁ ଗୋଟିଏ ଷ୍ଟୋର ରାଜଧାନୀରେ ରହିଥିଲା। ଜର୍ଟର ମରାସନ ନାମକ ଜଣେ ବ୍ୟକ୍ତି ଶେଷ ଥର ପାଇଁ ଏଠାରୁ ଅକ୍ଟୋବର ୩୧, ୨୦୦୯େରେ ବର୍ଗର ଓ ଫ୍ରାଇଜ୍‌ ନେଇଥିଲେ। ଏହାପରେ ଏହାକୁ ସୁରକ୍ଷିତ ରଖାଯାଇଥିଲା। ଏବେ ଏହି ବର୍ଗର ଓ ଫ୍ରାଇଜକୁ ଦକ୍ଷିଣ ଆଇସଲ୍ୟାଣ୍ଡରେ ଥିବା ସ୍ନୋତ୍ରା ହାଉସର ହଷ୍ଟେଲରେ ଥିବା ଏକ କୋଠରୀରେ ରଖାଯାଇଛି। ଏହି ହଷ୍ଟେଲର ମାଲିକ କୁହନ୍ତି ଏହା ଖୁବ୍‌ ପୁରୁଣା ହେଲେ ମଧ୍ୟ ଏବେବି ଏହା ସୁରକ୍ଷିତ ରହିଛି। ସୋସିଆଲ ମିଡିଆରେ ଏବେ ଏହି ବର୍ଗର ଓ ଫ୍ରାଇଜ ଭାଇରାଲ ହୋଇଛି। ଦିନକୁ ପ୍ରାୟ ୪ ଲକ୍ଷ ଲୋକ ଏହାକୁ ସୋସିଆଲ ମିଡିଆରେ ଦେଖୁଛନ୍ତି। ଆଇସଲ୍ୟାଣ୍ଡ ୟୁନିର୍ଭସିଟିର ବରିଷ୍ଠ ଅଧ୍ୟାପକ ବର୍ଜର୍ନ ଏଡବର୍ଜନସ କୁହନ୍ତି ଏହି ବର୍ଗରରେ ପାଣି ଅଂଶ ନାହିଁ। ତେଣୁ ଏହା ଏପର୍ଯ୍ୟନ୍ତ ଖରାପ ହୋଇ ନାହିଁ। ଅନ୍ୟପଟେ କମ୍ପାନୀ କହିଛି ତା’ର ପ୍ରାୟ ସବୁ ଉତ୍ପାଦନ ଅନ୍ୟମାନଙ୍କ ଅପେକ୍ଷା ଠିକ୍‌ ବାତାବରଣରେ ରଖାଯାଇଥାଏ। ସେଥିପାଇଁ ୧୦ ବର୍ଷ ପରେ ବି ବର୍ଗର ଓ ପ୍ରାଇଜ ଖରାପ ହୋଇନାହିଁ।

Share