୧୦% ଭାରତୀୟଙ୍କୁ ହୋଇପାରେ କ୍ୟାନ୍‌ସର

ଜାତିସଂଘ,୫ା୨: କର୍କଟ ରୋଗ ଭାରତରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ଦେଶର ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି ନିଜ ଜୀବନ କାଳ ମଧ୍ୟରେ କର୍କଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ସେହିପରି ୧୫ ଜଣଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତଙ୍କ ଜୀବନ କ୍ୟାନ୍‌ସର ନେଇପାରେ ବୋଲି ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଜାରି ଏକ ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରାଯାଇଛି।
କର୍କଟ ନିରାକରଣ ଦିବସ ପାଳନ ଅବସରରେ ଡବ୍ଲ୍ୟୁଏଚ୍‌ଓ ଏବଂ ଏହାର ଇଣ୍ଟରନ୍ୟାଶନାଲ ଏଜେନ୍ସି ଫର୍‌ ରିସର୍ଚ୍ଚ ଅନ୍‌ କ୍ୟାନ୍‌ସର ପକ୍ଷରୁ ମଙ୍ଗଳବାର ଦୁଇଟି ରିପୋର୍ଟ ପ୍ରକାଶ ପାଇଛି। ରୋଗ ଉପରେ ବିଶ୍ୱସ୍ତରରେ କାର୍ଯ୍ୟସୂଚୀ ସ୍ଥିର କରିବା ନେଇ ଗୋଟିଏ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଥିବାବେଳେ ଅନ୍ୟଟିରେ ଗବେଷଣା ଓ ନିରାକରଣ ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ୨୦୧୮ରେ ଦେଶରେ ପ୍ରାୟ ୧.୧୬ ନିଯୁତ ନୂଆ କ୍ୟାନ୍‌ସର ମାମଲା ସାମ୍ନାକୁ ଆସିଥିଲା। ଏହି ବର୍ଷ ୭୮୪,୮୦୦ ଜଣ କର୍କଟରେ ପ୍ରାଣ ହରାଇଥିଲେ। ୫ ବର୍ଷ ଭିତରେ ୧ କୋଟି ୨୬ ଲକ୍ଷ ଲୋକଙ୍କଠାରେ ଏହାର ଲକ୍ଷଣ ଦେଖାଯାଇଥିଲା ବୋଲି ଏଥିରେ କୁହାଯାଇଛି। ଭାରତରେ ୬ ପ୍ରକାର କର୍କଟ ରୋଗ ଦେଖିବାକୁ ମିଳୁଛି। ଯଥା, ସ୍ତନ କର୍କଟ, ମୁଖ କର୍କଟ, ସର୍ଭିକାଲ କ୍ୟାନ୍‌ସର, ଲଙ୍ଗ୍‌ କ୍ୟାନ୍ସର, ପେଟ କ୍ୟାନ୍‌ସର ଓ କଲୋରେକ୍ଟାଲ କ୍ୟାନ୍‌ସର।

Share