Categories: ଜାତୀୟ

୧୦ ରାଜ୍ୟକୁ ମିଳିଛି ସ୍ବତନ୍ତ୍ର ମାନ୍ୟତା

ନୂଆଦିଲ୍ଲୀ,୬ା୮: ଭାରତର ସମ୍ବିଧାନ କେବଳ ଜମ୍ମୁ-କଶ୍ମୀରକୁ ନୁହେଁ, ବରଂ ୧୦ ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଛି। ସମ୍ବିଧାନର ଅନୁଚ୍ଛେଦ ୩୬୮ରେ ପ୍ରଦତ୍ତ କ୍ଷମତା ଅନୁସାରେ ପାର୍ଲାମେଣ୍ଟ ଅନୁଚ୍ଛେଦ ୩୭୧ରେ ଅନେକ ନିୟମ ଯୋଡ଼ିବା ସହ ବିଭିନ୍ନ ରାଜ୍ୟକୁ ସ୍ବତନ୍ତ୍ର କ୍ଷମତା ଓ ଅଗ୍ରାଧିକାର ଦେଇଛି।
ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପାଇଁ ପାର୍ଲାମେଣ୍ଟରେ ନରେନ୍ଦ୍ର ମୋଦି ସରକାରଙ୍କ ନିଷ୍ପତ୍ତିକୁ ନେଇ ଉଭୟ ରାଜନୈତିକ ଦଳ ଓ ଜନସାଧାରଣଙ୍କଠାରୁ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଏଠାରେ ପ୍ରଶ୍ନ ଉଠେ କ’ଣ କେବଳ ଜମ୍ମୁ-କଶ୍ମୀର ଏକମାତ୍ର ରାଜ୍ୟ ଯାହା ସମ୍ବିଧାନଠାରୁ ସ୍ବତନ୍ତ୍ର କ୍ଷମତା ଲାଭ କରିଛି। ନିଶ୍ଚିତ ଭାବେ ନୁହେଁ। ଜମ୍ମୁ-କଶ୍ମୀରକୁ ଅନୁଚ୍ଛେଦ ୩୭୦ ଅଧୀନରେ ମିଳିଥିବା ୩୫ଏ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବାବେଳେ ମହାରାଷ୍ଟ୍ର ଓ ଗୁଜରାଟ ପାଇଁ ବିଶେଷ ନିୟମ କରିବା ଲାଗି ଅନୁଚ୍ଛେଦ ୩୭୧ ଅଣାଯାଇଥିଲା। ୧୯୫୦ରେ ସମ୍ବିଧାନ ଗୃହୀତ ହେବା ପରଠୁ ଏହି ଦୁଇ ଅନୁଚ୍ଛେଦ ରହିଛି। ତେବେ ଅନୁଚ୍ଛେଦ ୩୬୮ ଅନୁସାରେ ମିଳିଥିବା କ୍ଷମତା ପ୍ରୟୋଗ କରି ପାର୍ଲାମେଣ୍ଟ ୩୭୧ରେ ଅନେକ ସାମ୍ବିଧାନିକ ନିୟମ ଯୋଡ଼ିଛି। ଫଳରେ ଅନ୍ୟ ୯ଟି ରାଜ୍ୟକୁ ମଧ୍ୟ ସ୍ବତନ୍ତ୍ର କ୍ଷମତା ଓ ଅଗ୍ରାଧିକାର ମିଳିପାରିଛି।
ଅନୁଚ୍ଛେଦ ୩୭୧ଏ ନାଗାଲାଣ୍ଡକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରେ। ନାଗା ପାରମ୍ପରିକ ଆଇନ ଓ ସାମାଜିକ ପ୍ରଥା ତଥା ଧାର୍ମିକ ଅଧିକାର ଆଇନ ଅନୁସାରେ ଏହି ରାଜ୍ୟର ନିଜସ୍ବ ପ୍ରଶାସନିକ ଓ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଲୋକଙ୍କୁ ଜମିର ସ୍ବତ୍ୱାଧିକାର ମିଳିପାରେ। ସେମାନେ ଜମି ଓ ଅନ୍ୟ ସମ୍ବଳଗୁଡ଼ିକ ସ୍ଥାନୀୟ ପ୍ରଥାନୁସାରେ ଅନ୍ୟକୁ ହସ୍ତାନ୍ତର କରିପାରନ୍ତି। ଆଇନଶୃଙ୍ଖଳା ସ୍ଥିତି ଉପୁଜିଲେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ବଦଳାଇଦେବା ପାଇଁ ରାଜ୍ୟପାଳଙ୍କ ସ୍ବତନ୍ତ୍ର କ୍ଷମତା ରହିଛି। ସେହିପରି ଅନୁଚ୍ଛେଦ ୩୭୧ବି ଆସାମ ପାଇଁ ଉଦ୍ଦିଷ୍ଟ। ଏହି ନିୟମାନୁସାରେ ରାଷ୍ଟ୍ରପତି ଆଦିବାସୀ ଅଞ୍ଚଳରୁ ନିର୍ବାଚିତ ସଦସ୍ୟମାନଙ୍କୁ ନେଇ ବିଧାନସଭାର ଏକ କମିଟି ଗଠନ ଲାଗି ରାଜ୍ୟପାଳଙ୍କୁ ନିଜ କ୍ଷମତା ଦେଇପାରିବେ। ଏହାବ୍ୟତୀତ ୧୯୬୯ରେ ସମ୍ବିଧାନରେ ଅନୁଚ୍ଛେଦ ୨୪୪ଏ ଯୋଡ଼ାଯାଇଥିଲା। ଏହା ଅନୁସାରେ ଆସାମକୁ ସ୍ବୟଂଶାସିତ ପରିଷଦ ଗଠନ ଲାଗି ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇଥିଲା। ଅନୁଚ୍ଛେଦ ୩୭୧ସି ମଣିପୁରକୁ କେତେକ ସ୍ବତନ୍ତ୍ର କ୍ଷମତା ପ୍ରଦାନ ଲାଗି ପ୍ରଣୟନ କରାଯାଇଥିଲା। ଏହି ନିୟମାନୁସାରେ ପାର୍ବତ୍ୟ ଜିଲାଗୁଡ଼ିକୁ ନେଇ ହିଲ୍‌ ଏରିଆ କମିଟି (ଏଚ୍‌ଏସି) ପ୍ରତିଷ୍ଠା ଲାଗି ରାଷ୍ଟ୍ରପତିଙ୍କ ସମାନ ଅଧିକାର ରହିଛି, ଯେପରି ଆସାମରେ ଆଦିବାସୀ ବିଧାୟକଙ୍କୁ ନେଇ ରାଜ୍ୟପାଳଙ୍କ ଜରିଆରେ କମିଟି ଗଢ଼ାଯାଇଥାଏ। ଅନୁଚ୍ଛେଦ ୩୭୧ଡି ଏବଂ ଇ ଆନ୍ଧ୍ରପ୍ରଦେଶ ପାଇଁ ଉଦ୍ଦିଷ୍ଟ, ଯାହାଦ୍ୱାରା ରାଷ୍ଟ୍ରପତି ରାଜ୍ୟ ସରକାରଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସୁନିଶ୍ଚିତ କରିବା ଭଳି କେତେକ ନିର୍ଦ୍ଦିଷ୍ଟ କ୍ଷମତା ପ୍ରଦାନ କରିଥାନ୍ତି।
୧୯୭୫ରେ ଅନୁଚ୍ଛେଦ ୩୭୧ଏଫ୍‌ ଅନୁସାରେ ସିକିମ ଭାରତର ଏକ ରାଜ୍ୟରେ ପରିଣତ ହୋଇଥିଲା। ଏହି ନିୟମାନୁସାରେ ପ୍ରତି ୪ ବର୍ଷରେ ଥରେ ବିଧାନସଭା ନିର୍ବାଚନ କରାଇବାର ବ୍ୟବସ୍ଥା ରହିଥିବାବେଳେ ସିକିମ ହାଇକୋର୍ଟରେ ଦାଏର ଏକ ପିଟିଶନ ଅନୁସାରେ ଏଥିରେ ପରିବର୍ତ୍ତନ ଅଣାଯାଇଛି। ଅନୁଚ୍ଛେଦ ୩୭୧ଜି ଅନୁସାରେ ୧୯୮୬ରେ ମିଜୋରାମ ରାଜ୍ୟ ଗଠନ ହୋଇଥିଲା। ନାଗାଲାଣ୍ଡ ଭଳି ଏହି ସାମ୍ବିଧାନିକ ନିୟମ ସୀମାନ୍ତ ରାଜ୍ୟର ଅଧିବାସୀଙ୍କୁ ସମାନ ଧାର୍ମିକ ସ୍ବାଧୀନତା, ଜମି ସ୍ବତ୍ୱ ଭଳି ପାରମ୍ପରିକ ଆଇନଗତ ଅଧିକାର ପ୍ରଦାନ କରେ। ଏହି ନିୟମରେ କୌଣସି ପରିବର୍ତ୍ତନ ଆଣିବାକୁ ହେଲେ ବିଧାନସଭାରେ ପ୍ରସ୍ତାବ ଗୃହୀତ ହେବା ଜରୁରୀ। ଅନୁଚ୍ଛେଦ ୩୭୧ଏଚ୍‌ ଅରୁଣାଚଳ ପ୍ରଦେଶ ପାଇଁ ପ୍ରଯୁଜ୍ୟ, ଯାହାକି ରାଜ୍ୟପାଳଙ୍କୁ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରେ। ଅନୁଚ୍ଛେଦ ୩୭୧ଆଇ ଅଧୀନରେ ଜମି ବିକ୍ରି ଓ ସମ୍ପତ୍ତିର ମାଲିକାନା କ୍ଷେତ୍ରରେ ଆଇନ ପ୍ରଣୟନ ପାଇଁ ଗୋଆ ବିଧାନସଭାର ସ୍ବତନ୍ତ୍ର କ୍ଷମତା ରହିଛି। ଅନୁଚ୍ଛେଦ ୩୭୧ଜେ ହାଇଦ୍ରାବାଦ-କର୍ନାଟକ ଅଞ୍ଚଳର ୬ ପଛୁଆ ଜିଲାକୁ ବିଶେଷ କ୍ଷମତା ଦିଆଯାଇଛି। ଏହା ବଳରେ ଏହି ୬ ଜିଲା ପାଖରେ ସ୍ବତନ୍ତ୍ର ଉନ୍ନୟନ ବୋର୍ଡ ପ୍ରତିଷ୍ଠା, ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଆଦି ପାଇଁ ଅଧିକୃତ କରାଯାଇଛି। ଅନୁଚ୍ଛେଦ ୩୭୧ଏ ଏବଂ ୩୭୧ଜି ଭଳି ନିୟମରେ ପରିବର୍ତ୍ତନ ପାଇଁ ସମ୍ପୃକ୍ତ ରାଜ୍ୟ ବିଧାନସଭାର ଅନୁମତି ଆବଶ୍ୟକ ବୋଲି ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ସେହିପରି ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରୁଥିବା ଅନୁଚ୍ଛେଦ ୩୭୦ରେ ମଧ୍ୟ ଅନୁରୂପ ବ୍ୟବସ୍ଥା ରହିଛି। ତେବେ ମୋଦି ସରକାର ଏକ ରାଷ୍ଟ୍ରପତୀୟ ଅଧିସୂଚନା ଅନୁସାରେ ରାଜ୍ୟ ବିଧାନସଭାର ନିର୍ବାଚିତ ସଦସ୍ୟମାନଙ୍କ ସେହି ଅଧିକାର ଛଡ଼ାଇନେବା ପାଇଁ ଦାବି କରିଛନ୍ତି।

Share