Categories: ବାଣିଜ୍ୟ

୧୦ ଲକ୍ଷ କୋଟି ଛୁଇଁପାରେ ଏନ୍‌ପିଏ

ନୂଆଦିଲ୍ଲୀ,୨୫।୪: କୋଭିଡ୍‌-୧୯ ମହାମାରୀ ଯୋଗୁ ଭାରତୀୟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଅନାଦାୟ ଋଣ(ଏନ୍‌ପିଏ) ବୃଦ୍ଧି ଘଟି ୧୦ ଲକ୍ଷ କୋଟି ଟଙ୍କା ଛୁଇଁବା ନେଇ ଆଶଙ୍କା କରାଯାଇଛି। ମହାମାରୀ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ବେଳେ କମ୍ପାନୀଗୁଡିକ ଏବେ ଚାପରେ ରହିଥିବାରୁ ଏହାର ପ୍ରଭାବ ବ୍ୟାଙ୍କଗୁଡିକର ଋଣ ଉପରେ ପଡିବ। ୨୦୨୦-୨୧ରେ ବ୍ୟାଙ୍କଗୁଡିକର ଏନ୍‌ପିଏ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ସୂଚନା ଏକ ବ୍ଲଗ୍‌ରେ ମତ ପ୍ରକାଶ କରିଛନ୍ତି। ଗର୍ଗ କହିଛନ୍ତି ଯେ, ବ୍ୟାଙ୍କଗୁଡିକ ପ୍ରଦାନ କରିଥିବା ସେମାନଙ୍କ ମୋଟ ଋଣ ମଧ୍ୟରୁ ପ୍ରାୟ ୮୦% ନନ୍‌ଏସେନସିଆଲ(ଅଣ ଜରୁରୀ କ୍ଷେତ୍ର)କୁ ପ୍ରଦାନ କରିଛନ୍ତି। ଲକ୍‌ଡାଉନ ପାଇଁ ଏହି କ୍ଷେତ୍ରଗୁଡିକର କାମ ଏବେ ପ୍ରାୟ ଠପ୍‌ ହୋଇଛି। ବର୍ତ୍ତମାନ କ୍ଷୁଦ୍ର ବାଣିଜ୍ୟ ସେମାନଙ୍କ ସଟର ପକାଇ ଦେଇଥିବା ବେଳେ ଏମ୍‌ଏସ୍‌ଏମ୍‌ଇରେ କାମ ବନ୍ଦ ରହିଛି। ଏହାବାଦ ଉକ୍ତ କ୍ଷେତ୍ରରେ କାମ କ୍ଷେତ୍ରରେ କାମ ପ୍ରଭାବିତ ହେବା ଯୋଗୁ ନିଯୁକ୍ତି ହ୍ରାସ ହେବା ଆଶଙ୍କା ମଧ୍ୟ ବଢିଛି। ବ୍ୟାଙ୍କଗୁଡିକ ପ୍ରଦାନ କରିଥିବା ଋଣ ମଧ୍ୟରେ ପ୍ରାୟ ୯୨ ହଜାର କୋଟି ପର୍ଯ୍ୟଟନ, ହୋଟେଲ, ରେଷ୍ଟୁରାଣ୍ଟ, ମନୋରଞ୍ଜନ ଶିଳ୍ପ ସହ ଜଡିତ ରହିଛି। ଏହାବାଦ ନିର୍ମାଣ କ୍ଷେତ୍ରକୁ ୭.୪୦ ଲକ୍ଷ କୋଟି ଏବଂ ବୟନ ଶିଳ୍ପକୁ ୨.୪୦ ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି।

Share