Advertisement

୧୦ ଲକ୍ଷ ଟଙ୍କା ନେଇ ଚମ୍ପଟ ମହିଳା

ଦେବଗଡ, ୨୦ /୧୦ (ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ଅନ୍ତର୍ଗତ ଗୋଗୁଆ ଗ୍ରାମର ୧୩ ଜଣ ମହିଳାଙ୍କ ୧୦ ଲକ୍ଷ ଟଙ୍କା ନେଇ ଜଣେ ମହିଳା ଚମ୍ପଟ ମାରିଥିବା ନେଇ ଦେବଗଡ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ ଉକ୍ତ ଗ୍ରାମର ପୁରୋଷତମ ସାହୁଙ୍କ ସ୍ତ୍ରୀ’ କୁମୁଦିନୀ ଏବଂ ଠକାମିର ଶିକାର ହୋଇଥିବା ଉକ୍ତ ୧୩ ଜଣ ମହିଳା ମିଶି କେତେକ ଗୋଷ୍ଠୀ ଗଠନ କରିବା ସହ ବିଭିନ୍ନ ଘରୋଇ ଫାଇନାନ୍ସ କମ୍ପାନୀ ଠାରୁ ଲକ୍ଷ ଲକ୍ଷ ଟଙ୍କା ଋଣ ଆଣୁଥିଲେ। ଉକ୍ତ ଟଙ୍କା ସବୁ କୁମୁଦିନୀ ରଖୁଥିବା ବେଳେ ସମୟ ଅନୁଯାୟୀ ଋଣ ଟଙ୍କା ପରିଶୋଧ ମଧ୍ୟ କରୁଥିଲେ। ଏସକେଏସ, ଫ୍ୟୁଜନ, ଗ୍ରାମୀଣକଟା, ଉତ୍କର୍ଷ, ବନ୍ଧନ, ଆଶ୍ରିବାଦ ଆଦି ଫାଇନାନ୍ସ କମ୍ପାନୀରୁ ଋଣ ଉଠାଉଥିଲେ। ଏହି କ୍ରମରେ ଗତ ଥର ଉଠାଇଥିବା ଋଣ ଟଙ୍କା କୁମୁଦିନୀଙ୍କୁ ଉକ୍ତ ୧୩ ଜଣ ମହିଳା ଦେଇ ଦେଇଥିଲେ। ଗୋଗୁଆ ଗ୍ରାମର ବୁନା ମହାପାତ୍ର ୬୦ ହଜାର, ନିରୂପମା ଦାଶ ୧ ଲକ୍ଷ ୨୦ ହଜାର, ସଞ୍ଜୁବାଲା ସାହୁ ୮୦ ହଜାର, ପବନୀ ସାହୁ ୧ ଲକ୍ଷ, ପୁଷ୍ପାଞ୍ଜଳୀ ସାହୁ ୮୦ ହଜାର, ରୁକ୍ମୁଣୀ ବେହେରା ୧ ଲକ୍ଷ, ରେଣୁବାଲା ସାମଲ ୧ ଲକ୍ଷ ୧୫ ହଜାର, ପଦ୍ମିନୀ ସାହୁ ୫୫ ହଜାର, ବିଜୟା ବେହେରା ୨୦ ହଜାର, ପୁଷ୍ପା ପ୍ରଧାନ ୮୦ ହଜାର, ସଂଯୁକ୍ତା ସାହୁ ୩୦ ହଜାର, ନୟନା କିସାନ ୬୦ ହଜାର ଏବଂ ରଶ୍ମିତା ସାହୁ ୧ ଲକ୍ଷ ଟଙ୍କା କୁମୁଦିନୀଙ୍କୁ ପ୍ରଦାନ କରିଥିଲେ। ମାତ୍ର କୁମୁଦିନୀ ଋଣ ଟଙ୍କା ପରିଶୋଧ ନକରି ଉକ୍ତ ୧୦ ଲକ୍ଷ ଟଙ୍କା ନେଇ କୁଆଡେ ଚମ୍ପଟ ହୋଇଯାଇଥିବା ଅଭିଯୋଗ ହୋଇଛି। ଗତ ୯ ତାରିଖରୁ ଘର ଛାଡି କୁଆଡେ ପଳାଇଥିବା ବେଳେ ଠକାମୀର ଶିକାର ହୋଇଥିବା ମହିଳାଙ୍କ ଫୋନ ମଧ୍ୟ ଉଠାଉ ନାହିଁ। ଫଳରେ କୁମୁଦିନୀ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel