୧୦ ସୁଦ୍ଧା ସିସିଟିଭି ଇନ୍‌ଷ୍ଟାଲେଶନ ସମ୍ପର୍କିତ ତଥ୍ୟ ଦେବାକୁ ନିର୍ଦ୍ଦେଶ: ରେକର୍ଡିଂ ହେବ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, ୪ା୧(ବ୍ୟୁରୋ): ଚଳିତବର୍ଷ ଯୁକ୍ତ୨ ପରୀକ୍ଷାକୁ ସ୍ବଚ୍ଛ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି। ଯେଉଁଠାରେ ସିସିଟିଭି ନ ଥିବ ସେଠାରେ ପରୀକ୍ଷା ହେବ ନାହିଁ। ଏଥିପାଇଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଇନ୍‌ଷ୍ଟାଲେଶନ ସମ୍ପର୍କିତ ତଥ୍ୟ ଚଳିତମାସ ୧୦ ତାରିଖ ସୁଦ୍ଧା ଦେବାକୁ ବିଭାଗ ପକ୍ଷରୁ କଲେଜଗୁଡ଼ିକୁ କୁହାଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ଜୁନିୟର କଲେଜଗୁଡ଼ିକୁ ଚିଠି ମାଧ୍ୟମରେ ଜଣାଇଦିଆଯାଇଛି। ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି ଲଗାଇବାରେ ବିଫଳ ହେଲେ ସେଠାରେ ପରୀକ୍ଷା କେନ୍ଦ୍ର ହେବ ନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ଦାଶ କହିଛନ୍ତି। ସେ କହିଛନ୍ତି, ଏଥର ସମ୍ପୂର୍ଣ୍ଣ ପରୀକ୍ଷାକୁ ରେକର୍ଡ କରି ରଖାଯିବ। ପରୀକ୍ଷା ସମୟରେ ପାୱାର ବ୍ୟାକ୍‌ଅପ୍‌, ଇଣ୍ଟରନେଟ୍‌ କନେକଶନ୍‌ ଭଳି ସେବା ଉପଲବ୍ଧ କରାଯିବ। ସେଲଫ୍‌ ଫାଇନାନ୍ସିଂ କଲେଜଗୁଡ଼ିକରେ ପ୍ରାକ୍ଟିକାଲ୍‌ ପରୀକ୍ଷା ମଧ୍ୟ ସିସିଟିଭିରେ ରେକର୍ଡିଂ ହୋଇ ରହିବ। ସୂଚନାଯୋଗ୍ୟ, ପରୀକ୍ଷା ସମୟରେ କଲେଜଗୁଡ଼ିକରେ ଅବାଧ କପି କରାଯାଉଥିବା ଘଟଣା ନଜରକୁ ଆସିବା ପରେ ଗତବର୍ଷଠାରୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦ ନିଷ୍ପତ୍ତି ନେଇଥିଲା। ତେବେ ଗତବର୍ଷ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିପାରି ନ ଥିଲା। ଏବର୍ଷ କିନ୍ତୁ ପରୀକ୍ଷାକୁ ଶୃଙ୍ଖଳିତ କରିବା ଲାଗି ପରିଷଦ ପକ୍ଷରୁ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି।

Share