ତେହେରାନ,୧୯।୩: କରୋନା ଭାଇରସରେ ସର୍ବାଧିକ ଆକ୍ରାନ୍ତ ଦେଶମାନଙ୍କ ମଧ୍ୟରେ ଇରାନର ସ୍ଥାନ ଆସୁଛି ତୃତୀୟରେ। ଏଠାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୭୩୬୧ ହୋଇଥିବା ବେଳେ ୧୧୩୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୨ଶହ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି। ଏହାକୁ ଦେଖି ପୂର୍ବରୁ ଇରାନ ସରକାର ୮୫୦୦୦ କଏଦୀଙ୍କୁ ଜେଲରୁ ମୁକ୍ତ କରିବାକୁ କହିଥିଲେ। ଏବେ ଏମାନଙ୍କ ମଧ୍ୟରୁ ୧୦ ହଜାର କଏଦୀଙ୍କ ଦଣ୍ଡ ଇରାନ ସରକାର କୋହଳ କରିଦେବେ ବୋଲି କହିଥିବା ଜଣାପଡିଛି। ଇରାନ ସରକାରୀ ଗଣମାଧ୍ୟମର ସୂଚନା ଅନୁଯାୟୀ, ସେଠାକାର ନୂଆ କ୍ୟାଲେଣ୍ଡର ବା ନୂଆବର୍ଷ ଅବସରରେ ସରକାର ଏହି ଘୋଷଣା କରିଛନ୍ତି। ତେବେ ଦଣ୍ଡ କୋହଳ କରାଯାଉଥିବା କଏଦୀଙ୍କ ମଧ୍ୟରେ କାହାକୁ ସାମିଲ କରାଯିବ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ରାଜନୈତିକ ମାମଲାର କଏଦୀ ସାମିଲ ହେବ ବୋଲି ପୂର୍ବାନୁମାନ କରାଯାଇଛି।