Categories: ବାଣିଜ୍ୟ

୧୦ ହଜାର କୋଟିର ସମ୍ପତ୍ତି ବିକିବ ରିଲାଏନ୍ସ କ୍ୟାପିଟାଲ

ନୂଆଦିଲ୍ଲୀ,୨୦-୫: ନଗଦ ସଙ୍କଟର ସମ୍ମୁଖୀନ ହୋଇଥିବା ଉଦ୍ୟୋଗପତି ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ କ୍ୟାପିଟାଲ ଚଳିତ ଆର୍ଥିକ ବର୍ଷରେ ୧୦ ହଜାର କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରି ଏହାର ଋଣ ପରିମାଣକୁ ୫୦ ପ୍ରତିଶତ ହ୍ରାସ କରିବ। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହା ଋଣର କିସ୍ତି ନିୟମିତ ପ୍ରଦାନ କରିଆସୁଛି। ସମ୍ପତ୍ତି ବିକ୍ରି କରି ଅର୍ଥ ଯୋଗାଡ କରିବା ଦିଗରେ ଏହା ଠିକ୍‌ ବାଟରେ ଆଗେଇ ଚାଲିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ରିଲାଏନ୍ସ ନିପ୍ପନ ଲାଇଫ ଆସେଟ୍‌ ମ୍ୟାନେଜମେଣ୍ଟ ଲିମିଟେଡରେ ନିଜର ୪୨.୮୮ ପ୍ରତିଶତ ଅଂଶଧନକୁ ସମ୍ପୂର୍ଣ୍ଣ ବିକ୍ରି କରିଦେବ। ଯାହାର ବଜାର ମୂଲ୍ୟ ଏବେର ମୂଲ୍ୟଠାରୁ ୫ ହଜାର କୋଟି ଟଙ୍କା ଅଧିକ ରହିଛି। ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସରେ ଥିବା କମ୍ପାନୀର ୪୯ ପ୍ରତିଶତ ଅଂଶଧନକୁ ମଧ୍ୟ ରିଲାଏନ୍ସ କ୍ୟାପିଟାଲ ବିକ୍ରି କରିବାକୁ ଘୋଷଣା କରିଛି। ମୂଳ କାରବାରରେ ଥିବା ସମ୍ପତ୍ତିକୁ ବିକ୍ରି କରି କମ୍ପାନୀ ପ୍ରାୟ ୧୦ ହଜାର କୋଟି ଟଙ୍କା ସଂଗ୍ରହ କରିବ ବୋଲି ଆଶାବ୍ୟକ୍ତ କରିଛି।

Share