Categories: ଜାତୀୟ

୧୧୩ ଦିନର କରୋନା ଲଢେଇରେ ଜିତିଲେ ବୃଦ୍ଧ

ଅହମ୍ମଦାବାଦ, ୧୮।୧୨-କରୋନାକୁ ହରାଇଛନ୍ତି ଜଣେ ବୃଦ୍ଧ। ଦୀର୍ଘ ୧୧୩ ଦିନ ଧରି କରୋନା ସହ ଲଢେଇ କରି ବୃଦ୍ଧ ଜଣକ ସୁସ୍ଥ ହୋଇ ଫେରିଛନ୍ତି ଘରକୁ । ସେ ହେଲେ ଅହମ୍ମଦାବାଦର ଦେବେନ୍ଦ୍ର ପରମାର। ସିଭିଲ ହସ୍ପିଟାଲରୁ ଶୁକ୍ରବାର ଦେବେନ୍ଦ୍ରଙ୍କୁ ଡିସଚାର୍ଜ କରାଯାଇଛି। ଦେବେନ୍ଦ୍ର ୯୩ ଦିନ ଧରି ଆଇସିୟୁରେ ଥିଲେ। ତାଙ୍କୁ ପ୍ରତିଦିନ ପ୍ରାୟ ୭୫ ଲିଟର ଅମ୍ଳଜାନ ଦିଆଯାଉଥିଲା। ଡାକ୍ତରୀଦଳ ତାଙ୍କୁ ଉପଯୁକ୍ତ ଚିକିତ୍ସା ମଧ୍ୟ ଯୋଗାଇ ଦେଉଥିଲେ। ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଡାକ୍ତରଖାନାରୁ ଡିସଚାର୍ଜ ହେବାବେଳେ ଦେବେନ୍ଦ୍ରଙ୍କ ସ୍ତ୍ରୀ କହିଛନ୍ତି, ଦୀର୍ଘଦିନ ପରେ ସ୍ବାମୀ ଘରକୁ ଫେରୁଥିବାରୁ ମୁଁ ବହୁତ ଖୁସି। ମୋ ସ୍ବାମୀଙ୍କୁ ମୁଁ ଘରକୁ ନେଇଯାଉଛି। ଦେବେନ୍ଦ୍ରଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ସମୟରେ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନିତିନ ପଟେଲ ସେଠାରେ ଉପସ୍ଥିତ ଥିଲେ। ଏହି ଅବସରରେ ନିତିନ କହିଛନ୍ତି, ୧୦୦ ଦିନ ପରେ କରୋନା ରୋଗୀମାନେ ସୁସ୍ଥ ହୋଇ ନିଜ ଘରକୁ ଯାଉଛନ୍ତି। ଏହାକୁ ଚିକିତ୍ସା ସଫଳତା କୁହାଯିବ।

Share