Categories: ଜାତୀୟ

୧୧ ଅଭିଯୁକ୍ତଙ୍କ ଉପରୁ ହଟିିଲା ହତ୍ୟା ମାମଲା

ରାଞ୍ଚି, ୧୧ା୯ (ପି.ଟି.): ମୁସଲ୍‌ମାନ ଯୁବକ ତବ୍‌ରେଜ୍‌ ଅନ୍‌ସାରି(୨୪) ଭିଡ଼ହିଂସା ମାମଲାରେ ଝାଡ଼ଖଣ୍ଡର ଷଢେଇକଳା-ଖରସୁଆଁ ଜିଲା ପୋଲିସ ୧୧ ଅଭିଯୁକ୍ତଙ୍କ ବିରୋଧରେ ଲଗାଯାଇଥିବା ହତ୍ୟା ମାମଲାକୁ ଉଠାଇ ଦେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ତବ୍‌ରେଜ୍‌ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଦର୍ଶାଯିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଏସ୍‌ପି କାର୍ତ୍ତିକ ଏସ୍‌. ପ୍ରକାଶ କରିଛନ୍ତି। ପୁଣେରେ କାମ କରୁଥିବା ତବ୍‌ରେଜ୍‌ ଇଦ୍‌ ପାଳନ ଲାଗି ଘରକୁ ଆସିଥିବାବେଳେ କେତେକ ସ୍ଥାନୀୟ ଲୋକେ ତାଙ୍କୁ ଗାଡ଼ିଚୋର ଭାବି ଖୁଣ୍ଟରେ ବାନ୍ଧିଦେବା ସହ ବାଡ଼ି ଓ ଲୁହାରଡ୍‌ରେ ପିଟିଥିଲେ। ତାଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଯାଇଥିଲା। ଏନେଇ ଭିଡିଓ ଭାଇରାଲ ହୋଇଥିଲା। ତବ୍‌ରେଜ୍‌ଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଥିବାବେଳେ ଜୁନ୍‌ ୨ରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରି ୧୩ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସେମାନଙ୍କ ମଧ୍ୟରୁ ୧୧ ଙ୍କ ବିରୋଧରେ ହତ୍ୟା ମାମଲା ଲଗାଯାଇଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ହୃଦ୍‌ଘାତ ବାହାରିବା ପରେ ଅଭିଯୁକ୍ତଙ୍କ ଉପରୁ ହତ୍ୟା ମାମଲା ହଟାଇ ଦିଆଯାଇଥିବା ଜଣାପଡ଼ିଛି।

Share