ସଜନାଗଡ଼, ୩।୬(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ସୋମବାର ସକାଳେ ଏକ ଅଘଟଣ ଘଟିଛି। ନୀଳଗିରି ଥାନା ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ ଓଲଡ଼ଙ୍ଗ ଗ୍ରାମରେ ରବିବାର ରାତିରେ ପବନ ସାଙ୍ଗକୁ ବର୍ଷା ହେବା ଫଳରେ ଗ୍ରାମର ଏକ ଚାଷ ଜମିରେ ୧୧ କେଭି ବିଦ୍ୟୁତ୍ତାର ଝୁଲି ଯାଇଥିଲା। ସୋମବାର ସକାଳେ ଗୋରୁ ଚାଷ ଜମିକୁ ଚରିବାକୁ ଯାଇଥିବା ବେଳେ ବିଦ୍ୟୁତ୍ତାର ସଂସ୍ପର୍ଶରେ ଆସିଥିଲେ। ଏଥିରେ ୧୦ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଉତ୍ତ୍ୟକ୍ତ ଗ୍ରାମବାସୀ ୧୯ ନମ୍ବର ରାଜ୍ୟ ରାଜପଥର ସେରଗଡ଼-ନୀଳଗିରି ଛକଠାରେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ବିଦ୍ୟୁତ୍ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସ ବୁଝାସୁଝା କରିବା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୁ ହଟିଥିଲେ।