୧୧ ଦିନରେ ଲକ୍ଷେ ୩୪ ହଜାର

ନୂଆଦିଲ୍ଲୀ, ୨୧।୬:ଦେଶରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଲଗାତାର ୧୧ ଦିନ ଧରି ଦେଶରେ ହାରାହାରି ୧୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ଜୁନ୍‌ ୧୦ଠାରୁ ଜୁନ୍‌ ୨୦ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ସମୟ ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୩୪ ହଜାର ୯୯୩ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ହାରାହାରି ୩ ଶହରୁ ଅଧିକ ରହୁଛି। ଜୁନ୍‌ ୧୦ରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୩୭୫ ଥିବାବେଳେ ୧୭ ଜୁନ୍‌ରେ ୧୩ ହଜାର ୧୦୩ ଥିଲା। ସେହିପରି ୧୯ ଜୁନ୍‌ରେ ଏହା ୧୪ ହଜାର ୭୨୧ରେ ପହଞ୍ଚିଥିବାବେଳେ ୨୦ ଜୁନ୍‌ରେ ୧୫ ହଜାର ୪୧୩ ଛୁଇଁଛି। ସେହିପରି ୧୦ ଜୁନ୍‌ରେ ମୃତ୍ୟୁ ସଂଖ୍ୟା ୩୮୮ ଥିବାବେଳେ ୧୫ ଜୁନରେ ଏହା ୩୯୫ ଥିଲା। ଜୁନ୍‌ ୧୮ରେ ଏହା ୩୪୨ ଥିବାବେଳେ ଜୁନ୍‌ ୧୯ରେ ୩୬୬ରେ ପହଞ୍ଚିଥିଲା। ୨୦ ଜୁନ୍‌ରେ ଏହା ୩୦୬ ରହିଥିଲା। ସୂଚନାଯୋଗ୍ୟ, ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୧ ହଜାର ୭୭୩ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୧୩ ହଜାର ୨୮୧ ଛୁଇଁଛି। ଇତିମଧ୍ୟରେ ୨ ଲକ୍ଷ ୨୮ ହଜାର ୩୦୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share