Categories: ଜାତୀୟ

୧୧ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

ରାଞ୍ଚି,୩ା୩: ଜଣେ ଆଇନ ଛାତ୍ରୀଙ୍କୁ ଗଣବଳାତ୍କାର କରିବା ମାମଲାରେ ରାଞ୍ଚିର ଏକ କୋର୍ଟ ୧୧ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଜିଲା ଜଜ୍‌ ନଭ୍‌ନୀତ୍‌ କୁମାର ଫେବୃୟାରୀ ୨୬ରେ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଥିବା ବେଳେ ସୋମବାର ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ପ୍ରତ୍ୟେକ ଦୋଷୀଙ୍କୁ ୫୦ ହଜାର ଟଙ୍କା ଲେଖାଏ ଜରିମାନାଦେଶ ଶୁଣାଯାଇଛି। ଦୋଷୀମାନେ ହେଲେ କୁଲ୍‌ଦୀପ ଓରାଅନ୍‌, ସୁନୀଲ ଓରାଅନ୍‌, ସନ୍ଦୀପ ତିର୍କୀ, ଅଜୟ ମୁଣ୍ଡା, ରଞ୍ଜନ ଓରାଅନ୍‌, ନବୀନ ଓରାଅନ୍‌, ବସନ୍ତ କଚ୍ଛପ, ରବି ଓରାଅନ୍‌, ରୋହିତ୍‌ ଓରାଅନ୍‌, ସୁନୀଲ ମୁଣ୍ଡା ଓ ରିଶି ଓରାଅନ୍‌। ଗତବର୍ଷ ନଭେମ୍ବର ୨୬ରେ ଜଣେ ପୁରୁଷ ବନ୍ଧୁଙ୍କ ସହ ଆଇନ ଛାତ୍ରୀ ଜଣକ ରାଞ୍ଚି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରୁ ସ୍କୁଟିରେ ଫେରୁଥିବା ବେଳେ ବାଟରେ ଗାଡ଼ିରୁ ତେଲ ସରିଯାଇଥିଲା। ବାଟରେ ଅପେକ୍ଷା କରିଥିବା ବେଳେ ବାଇକ୍‌ରେ ଆସୁଥିବା ୮ ଜଣ ଯୁବକ ଛାତ୍ରୀଙ୍କୁ ବାଟରୁ ଜୋର୍‌ଜବରଦସ୍ତ ଉଠାଇ ନେଇ ନିକଟସ୍ଥ ଇଟାଭାଟିରେ ବଳାତ୍କାର କରିଥିଲେ। ପରେ ସେଠାରେ ଅନ୍ୟ ୪ ଜଣ ପହଞ୍ଚି ମଧ୍ୟ ବଳାତ୍କାର କରିଥିଲେ। ଘଟଣା ପରେ ପୀଡ଼ିତା ପୋଲିସରେ ଅଭିଯୋଗ କରିବାରୁ ୧୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଜଣେ ବଳାତ୍କାରୀ ନାବାଳକ ହୋଇଥିବାରୁ ମାମଲା ଏବେ ଜୁଭେନାଇଲ କୋର୍ଟରେ ଚାଲିଛି।

Share