୧୨ଶହ କିଲୋମିଟର ସାଇକେଲ ଚଳାଇ ଅସୁସ୍ଥ ପିତାଙ୍କୁ ଘରେ ପହଞ୍ଚାଇଥିବା ଜ୍ୟୋତିଙ୍କ ଉପରେ ନିର୍ମାଣ କରାଯିବ ଫିଲ୍ମ !

ପାଟନା,୨୮।୫: କରୋନା ମହାମାରୀକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ନିଜ ଅସୁସ୍ଥ ପିତାଙ୍କୁ ହରିୟାଣାର ଗୁରୁଗ୍ରାମରୁ ଦୀର୍ଘ ୧୨୦୦ କିଲୋମିଟର ସାଇକେଲରେ ବସାଇ ବିହାରର ଦରଭଙ୍ଗାରେ ପହଞ୍ଚିଥିଲେ ୧୫ ବର୍ଷର ବାଳିକା ଜ୍ୟୋତି। ଏବେ ଜ୍ୟୋତିଙ୍କ କାହାଣୀକୁ ନେଇ ବଲିଉଡ୍‌ରେ ଫିଲ୍ମ ତିଆରି ହେବ ବୋଲି ଶୁଣିବାକୁ ମିଳିଛି। ବଲିଉଡ୍‌ ଫିଲ୍ମ ନିର୍ମାତା ବିନୋଦ କାପଡି ଜ୍ୟୋତିଙ୍କୁ ନେଇ ‘ସାଇକେଲ ଗର୍ଲ’ନାମକ ଚଳଚ୍ଚିତ୍ର ନିର୍ମାଣ କରିବେ ବୋଲି ଜଣାପଡିଛି। ବିନୋଦ କହିଛନ୍ତି ଏବେ ସେ ଚାଲିଚାଲି ଓ ସାଇକେଲରେ ନିଜ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ସର୍ଟ ଫିଲ୍ମ ତିଆରି କରୁଛନ୍ତି। ହେଲେ ଜ୍ୟୋତିଙ୍କ ଉପରେ ସେ ଏକ ଫିଲ୍ମ ତିଆରି କରିବେ ବୋଲି ତାଙ୍କ ପିତାଙ୍କ ସହ କଥା ହୋଇସାରିଛନ୍ତି ବୋଲି ବିନୋଦ କହିଛନ୍ତି। ସୂଚନାଯୋଗ୍ୟ, ଜ୍ୟୋତି ବିହାର ଦରଭଙ୍ଗା ଜିଲାର ସିରୁହୁଲିଆ ଗାଁର ବାସିନ୍ଦା। ପିତା ମୋହନ ପାଶଓ୍ବାନ ହରିୟାଣାରେ ଅଟୋରିକ୍ସା ଚଲାଉଥିବା ବେଳେ କିଛିଦିନ ତଳେ ତାଙ୍କର ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯିବାରୁ ଜ୍ୟୋତି ପିତାଙ୍କ ଦେଖାଶୁଣା କରିବାକୁ ସେଠାକୁ ଯାଇଥିଲେ। ହେଲେ ଏହାପରେ କରୋନା ମହାମାରୀ ପାଇଁ ଦେଶରେ ଲକ୍‌ଡାଉନ ଜାରି କରାଯିବାରୁ ଜ୍ୟୋତିଙ୍କ ପିତା ରୋଜଗାର ହରାଇବା ସହ ଘରକୁ ଫେରିବାର ବାଟ ବି ବନ୍ଦ ହୋଇ ଯାଇଥିଲା। ଶେଷରେ ସେଠାକାର ଘର ମାଲିକ ତାଙ୍କୁ ଘରୁ ବାହାରି ଯିବାକୁ ଧମକ ଦେବାରୁ ଜ୍ୟୋତି ସାହସ ଜୁଟାଇ ସାଇକେଲରେ ଅସୁସ୍ଥ ପିତାଙ୍କୁ ବସାଇ ପ୍ରାୟ ଏକ ସପ୍ତାହ ଧରି ଚାଇକେଲ ଚଳାଇ ନିଜ ଗାଁରେ ପହଞ୍ଚିଥିଲେ। ବାଟରେ ଯିଏ ଯେମିତି ଖାଦ୍ୟ ପାନୀୟ ଦେଇଥିଲେ ସେଥିରେ ଭୋକ ଶୋଷ ମେଣ୍ଟାଇ ଘରେ ପହଞ୍ଚିବା ପରେ ଜ୍ୟୋତିଙ୍କ ଏହି ସାହସିକତା ସମସ୍ତଙ୍କ ନଜରକୁ ଆସିଥିଲା। ଏମିତିକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଜ୍ୟୋତିଙ୍କର ଖୁବ୍‌ ପ୍ରଶଂସା କରିଥିଲେ।

Share