ଓ୍ବାଶିଂଟନ,୩୦।୫: ଆମେରିକାର ପ୍ରମୁଖ ବିମାନ ମାନୁଫାକ୍ଚରିଂ କମ୍ପାନୀ ବୋଇଂ ତା’ର ୧୨ ହଜର କର୍ମଚାରୀଙ୍କୁ ଛଟେଇ କରିଛି । କରୋନା ମହାମାରୀର ଭୟାବହତା କାରଣରୁ ସାରା ବିଶ୍ୱରେ ବିମାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଛି। ଏହା ଉପତ୍ାଦନ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି। କୋଭିଡ୍-୧୯ ପ୍ରଭାବ ଏସବୁ କ୍ଷେତ୍ର ଉପରେ ପଡିଛି ବୋଲି କମ୍ପାନୀର ସିଇଓ ଡେଭିଡ୍ କୋଲ୍ହନ ସୂଚନା ଦେଇଛନ୍ତି। କମ୍ପାନୀର କର୍ମଚାରୀ ଛଟେଇ କରିବା ପରେ ମଧ୍ୟ ୭୩୭ ମାକ୍ସ ଜେଟ୍ର ନିର୍ମାଣ ଜାରି ରହିଛି। କରୋନା ସଂକ୍ରମଣ ପୂର୍ବରୁ କମ୍ପାନୀ ଚାପରେ ରହିଛି। କାରଣ ଏହାର ୨ଟି ମାକ୍ସ ଜେଟ୍ ବିଗତ ଦିନରେ କ୍ଷତିଗ୍ରସ୍ତ ହେବା ଫଳରେ କମ୍ପାନୀ ଆର୍ଥିକ ଚାପରେ ରହିଛି। ବର୍ତ୍ତମାନ ଏହି କମ୍ପାନୀରେ ୧.୬ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ କାମ କରୁଛନ୍ତି। ଗତ ସପ୍ତାହରେ କମ୍ପାନୀ ୬, ୭୭୦ ୟୁଏସ୍ କର୍ମଚାରୀଙ୍କୁ ଛଟେଇ କରିଛି । ସେହିଭଳି ଆସନ୍ତା ସପ୍ତାହ ମଧ୍ୟରେ ୫୫୨୦ କର୍ମଚାରୀ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇଥିବା ଥଇଥାନ ପ୍ୟାକେଜରେ ସ୍ବେଚ୍ଛାକୃତ ଅବସର ନେବେ ବୋଲି ବୋଇଂ ପକ୍ଷରୁ ସୂଚନା ରହିଛି।