Categories: ବାଣିଜ୍ୟ

୧୨୦୦ ଟଙ୍କାରେ ବିକ୍ରି ହେଉଛି ଗୋଟିଏ ଆମ୍ବ

ନୂଆଦିଲ୍ଲୀ,୨୪ା୬:ଗୋଟିଏ ଆମ୍ବର ଦାମ ୧୨୦୦ ଟଙ୍କା, ଏହା କେହି କେବେ କଳ୍ପନା ମଧ୍ୟ କରି ନ ଥିବେ। କିନ୍ତୁ ଏହା ନିରାଟ ସତ। ଆମ୍ବର ମହାରାଣୀ କୁହାଯାଉଥିବା ବିଖ୍ୟାତ ‘ନୁରଜାହାଁ’କୁ ଏବେ ୧୨୦୦ ଟଙ୍କାରେ ବିକ୍ରି କରାଯାଉଛି। ଚଳିତବର୍ଷ ମୌସୁମୀ ସହାୟକ ହୋଇଥିବାରୁ ଏହି ଶ୍ରେଣୀର ଗୋଟିଏ ଆମ୍ବର ଓଜନ ୨.୭୫ କେଜି ହୋଇଛି। ଆଫ୍‌ଗାନିସ୍ତାନରେ ମିଳୁଥିବା ଏହି ସ୍ବତନ୍ତ୍ର ପ୍ରଜାତିର ଆମ୍ବ ଦୀର୍ଘଦିନ ହେବ ମଧ୍ୟପ୍ରଦେଶର ଅଲିରାଜପୁର ଜିଲାର କଟ୍ଟିବାଡା ଅଞ୍ଚଳରେ ଚାଷ କରାଯାଉଛି। ଏହି ଅଞ୍ଚଳଟି ଗୁଜରାଟ ସୀମାରେ ରହିଛି। ଇନ୍ଦୋରଠାରୁ ପ୍ରାୟ ୨୫୦କିମି ଦୂର କଟ୍ଟିବାଡାରେ ଏହି ପ୍ରଜାତିର ଆମ୍ବ ଚାଷ କରିବାରେ ପାରଙ୍ଗମତା ହାସଲ କରିଥିବା ଇଶାକ୍‌ ମନସୁରୀଙ୍କ କହିବାନୁଯାୟୀ, ମୌସୁମୀ ଅନୁକୂଳ ଥିବାରୁ ଚଳିତବର୍ଷ ନୁରଜାହଁା ଆମ୍ବ ଫସଲ ବେଶ ଭଲ ହୋଇଛି। ଏଥର ଗୋଟିଏ ଆମ୍ବର ହାରାହାରି ଓଜନ ପ୍ରାୟ ୨.୭୫ କେଜି ରହିଛି। ଗତ ୩ ବର୍ଷ ହେବ ଏହାର ହାରାହାରି ଓଜନ ୨.୫ କେଜି ଥିଲା। ମନସୁରୀଙ୍କ କହିବାନୁଯାୟୀ, ବର୍ତ୍ତମାନ ବଜାରରେ ନୁରଜାହଁାର ଗୋଟିଏ ଫଳ ଦାମ ୭୦୦ରୁ ୮୦୦ ଟଙ୍କା ରହିଛି। ଅଧିକ ଓଜନର ଆମ୍ବ ପାଇଁ ଗ୍ରାହକ ୧୨୦୦ ଟଙ୍କା ଦେଉଛନ୍ତି। ଏପରିକି ଏହି ଆମ୍ବର ଉତ୍ପାଦନ କମ୍‌ ହେଉଥିବାରୁ ଲୋକେ ଗଛରେ ପାଚିଲା ପୂର୍ବରୁ ଆମ୍ବକୁ କିଣିବା ଲାଗି ବୁକିଂ କରାଇ ନେଇଛନ୍ତି।

Share